ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଶୀତର ପ୍ରକୋପ ଆଂଶିକ ଦେଖିବାକୁ ମିଳୁଛି। ତେବେ ଲଘୁଚାପ ପାଇଁ ପାଗ ମେଘୁଆ ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ମଙ୍ଗଳବାର ଠାରୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ଏହାସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ୫.୮ କିମି ଉଚ୍ଚତାରେ ବାୟୁମଣ୍ଡଳ ପର୍ଯ୍ୟନ୍ତ ବ୍ୟାପିଛି ରହିଛି। ତେବେ ଏହା ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ମଧ୍ୟଦେଇ ୧୮ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ତାମିଲନାଡୁରେ ସ୍ଥଳଭାଗ ଛୁଇଁବ ବୋଲି ସୂଚନାମିଳୁଛି। କିନ୍ତୁ ଲଘୁଚାପ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ବୋଲି ଭୁବନେଶ୍ଵର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ଦେଖିବାକୁ ମିଳିଛି। ମାଲକାନଗିରି , କୋରାପୁଟ , ରାୟଗଡା , ନବରଙ୍ଗପୁର , କଳାହାଣ୍ଡି , କନ୍ଧମାଳ , ଗଜପତି , ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି । ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ ।