ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଜାତୀୟ ପ୍ରେସ ଦିବସ ସ୍ଥାନୀୟ ସଦଭାବନା ସଭାଗୃହ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ “ବିଶ୍ବ ମହାମାରୀ ପରିପ୍ରେକ୍ଷୀରେ ଗଣମାଧ୍ୟମ, ଏକ ନୂତନ ଆହ୍ବାନ” ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଗଣମାଧ୍ୟମର ସକ୍ରିୟତା ଦ୍ବାରା ଅନେକ ଆବଶ୍ୟକୀୟ ତଥ୍ୟ ହସ୍ତଗତ ହେବା ସହ ସମାଜର ହିତ ସାଧିତ ହୋଇଥାଏ । ତଥ୍ୟ ଭିତ୍ତିକ ଖବର ପ୍ରକାଶନ ଓ ପ୍ରସାରଣ ଅନେକ ସମୟରେ ପ୍ରଶାସନ ଓ ସାଧାରଣ ଜନତାଙ୍କ ନିମନ୍ତେ ଉପାଦେୟ ସାବ୍ୟସ୍ତ ହୋଇଥାଏ । କରୋନା ମହାମରୀ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗଣମାଧ୍ୟମର ପ୍ରତିନିଧି ମାନେ ନିଜ ଜୀବନକୁ ବାଜି ଲଗାଇ ଖବର ପ୍ରସାରଣ କରିବା ତଥା ପ୍ରତି ମୁହୂର୍ତ୍ତର ଖବର ଦେବା ସାମ୍ବାଦିକତାର ଗାରିମା ବୃଦ୍ଧି କରିଥିବାର ମୁଖ୍ୟଅତିଥି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ କରୋନା ମହାମାରୀରେ ପ୍ରାଣ ହରେଇଥିବା ସାମ୍ବାଦିକ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସାମ୍ବାଦିକ ଶ୍ରୀ ବିଶ୍ବଜିତ ପଟ୍ଟନାୟକ, ଶ୍ରୀ ସୁକାନ୍ତ ପଣ୍ତା ଓ ଶ୍ରୀ ନିରଞ୍ଜନ ମିଶ୍ର ପ୍ରମୁଖ ଆଲୋଚନାରେ ଭାଗନେଇ ସେମାନଙ୍କର ମତାମତ ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ରିୟ ଜେନା ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।(ରିର୍ପୋଟ: ଶଙ୍କର ସରକାର)