ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଡ଼ିଶାରେ କୋଭିଡ୍ ଆତଙ୍କ ଦୂର ହୋଇନଥିବାବେଳେ ଏବେ ପୁଣି ଡେଙ୍ଗୁ ଡରାଇଲାଣି। ରାଜ୍ୟରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଭୟାନକ ଭାବେ ବୃଦ୍ଧି ଘଟିବାରେ ଲାଗିଛି । ଗତ ବର୍ଷ ରାଜ୍ୟରେ ମାତ୍ର ୪୯୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ହେଲେ ଚଳିତ ବର୍ଷ ନଭେମ୍ବର ୧୩ ତାରିଖ ସୁଦ୍ଧା ରାଜ୍ୟରେ ୭ହଜାର ୧୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଚଳିତ ବର୍ଷର ୧୧ ମାସ ଭିତରେ ପୂର୍ବ ବର୍ଷ ଅପେକ୍ଷା ୧୫ ଗୁଣା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ଫଳରେ ରାଜ୍ୟ ସରକାର ଚଳିତ ବର୍ଷ ଡେଙ୍ଗୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଜଣାପଡ଼ିଛି । ଡେଙ୍ଗୁ ମଶା ନିପାତ କରିବାରେ ରାଜ୍ୟ ସରକାର ସଫଳତା ଅର୍ଜନ କରିପାରିନାହାନ୍ତି । ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ତା’ର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି। ଚଳିତ ବର୍ଷ ଡେଙ୍ଗୁର ସମସ୍ତ ରେକର୍ଡ ଭାଙ୍ଗିଛି।