ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କାଲି ଥିଲା ଶିଶୁ ଦିବସ । ଆଜି ଠାରୁ ଆରମ୍ଭ ହେବ ଷଷ୍ଠ ଓ ସପ୍ତମ ଶ୍ରେଣୀ ଅଫଲାଇନ୍ ତଥା ଶ୍ରେଣୀ ପାଠପଢ଼ା । ଏହି ୨ଟି ଶ୍ରେଣୀର କ୍ଲାସ୍ ସକାଳ ୯.୩୦ ଟାରୁ ଆରମ୍ଭ ହୋଇ ଦିନ ୧ଟା ଯାଏ ଚାଲିବ । ଛାତ୍ରଛାତ୍ରୀମାନେ ଚାହିଁଲେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ କ୍ଲାସ୍ କରିପାରିବେ । ଯେଉଁ ସ୍କୁଲରେ ଛାତ୍ରାବାସ ରହିଛି ତାହା ମଧ୍ୟ ଖୋଲାଯିବା । ଏଥି ପାଇଁ ଆଗରୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରେଣୀ କକ୍ଷ ସମେତ ଛାତ୍ରାବାସଗୁଡିକରେ ରୁମ୍ ଓ ଶୌଚାଳୟକୁ ନିୟମିତ ପରିସ୍କାର ପରିଚ୍ଛନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ଖୋଲିବା ପୂର୍ବରୁ ଓ ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ଶିକ୍ଷା ଅଧିକାରୀ , ବ୍ଳକଶିକ୍ଷା ଅଧ୍କାରୀ , ବିଆରସିସି , ସିଆର୍ସିସି ସ୍କୁଲଗୁଡିକୁ ନିୟମିତ ପରିଦର୍ଶନ କରିବେ । ସ୍କୁଲର ଶ୍ରେଣୀକକ୍ଷ ସଫାସୁତରା , ନିୟମିତ ସାନିଟାଇଜି , ଶ୍ରେଣୀରେ ବସିବା ଲାଗି ସାମାଜିକ ଦୂରତ୍ଵକୁ ଯାଞ୍ଚ କରିବା ସହ ବିଦ୍ୟାଳୟର ପରିସର ଯେପରି ପରିସ୍କାର ପରିଚ୍ଛନ ରହିବ ସେ ତାହା ଦେଖିବେ । ସମସ୍ତ କୋଭିଡ କଟକଣା ମଧ୍ୟରେ ପାଠପଢ଼ା ଚାଲିବ। କୌଣସି ପିଲାଙ୍କ ପାଖରେ ଯଦି ଜ୍ବର କି ଥଣ୍ଡା ର ଲକ୍ଷଣ ଦେଖାଗଲା ତେବେ ତାଙ୍କୁ ସଂଗରୋଧ କକ୍ଷରେ ରଖାଯିବ।