ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଟୁଆଲ ଟୁର୍ର ବ୍ୟବସ୍ଥା କରାଯାଇଛି । ନଭେମ୍ବର ୧୪ ତାରିଖ ଦିନ ଦର୍ଶକମାନେ ଫେସ୍ବୁକ୍ ଓ ଟୁଇଟର ପେଜ୍ @stscdev @scstrti , ଖୋଲି ପାଉଡି ଭୂୟାଁ ଜନଜାତି ସଂପର୍କରେ ଜାଣିପାରିବେ ବୋଲି , ଏସ୍.ସି.ଏସ୍.ଟି.ଆର୍.ଟି.ଆଇ ର ନିର୍ଦ୍ଦେଶକ ପ୍ରଫେସର ( ଡ . ) ଅଞ୍ଛଳ ବିହାରୀ ଓତା ପ୍ରକାଶ କରିଛନ୍ତି ।
ଭୂୟାଁ ଜନଜାତିର ଏକ ଗୋଷ୍ଠି ହେଉଛନ୍ତି ପାଉଡି ଭୂୟାଁ ଜନଜାତି । ବିହାର , ପଶ୍ଚିମବଙ୍ଗ ଓ ଆସାମରେ ପାଉଡି ଭୂୟାଁ ଜନଜାତି ବସବାସ କରିଥାନ୍ତି । ଓଡିଶାର ସୁନ୍ଦରଗଡ , ଅନୁଗୁଳ ଓ ଦେଓଗଡ ଜିଲ୍ଲାରେ ଏହି ଜନଜାତି ବାସ କରନ୍ତି । ସେମାନଙ୍କର ମୁଖ୍ୟ ପେଶା ହେଉଛି ଝାଡୁ ତିଆରି , ମ୍ୟାଟ୍ ତିଆରି , ଝୁଡି ପ୍ରସ୍ତୁତି , ଲିଚୁ ଚାଷ , ଟସର ଚାଷ ଇତ୍ୟାଦି । ସେମାନେ ସ୍ଥାନୀୟ ଓଡିଆ ଭାଷାରେ କଥାବାର୍ତ୍ତା କରିଥାନ୍ତି । ସେମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ଶିକାର କରିବାକୁ ଭଲ ପାଆନ୍ତି । ଯୁବକମାନଙ୍କ ପାଇଁ ଗ୍ରାମର କେନ୍ଦ୍ର ଭାଗରେ ‘ ଦରବାର ଘର ’ ତିଆରି ହୋଇଥାଏ । ଏହି ସୁପ୍ରଶସ୍ତ ଶୟନାଗାରରେ ସେମାନେ କାନ୍ଥରେ ‘ ଚାଙ୍ଗୁ ’ ଝୁଲାଇ ରଖିଥାନ୍ତି ଓ ଅନ୍ୟ ଏକ କୋଣରେ ଶସ୍ୟ ରଖାଯାଇଥାଏ । ଗୋଟିଏ ଗ୍ରାମରେ ୫ରୁ ୨୦ଟି ପରିବାର ବାସ କରିଥାନ୍ତି । ପାଉଡି ଭୂୟାଁ ଜନଜାତି ସେମାନଙ୍କର ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିଥାନ୍ତି । ଘରର କାନ୍ଥ ଗୋବରରେ ଓ ନାଲି ମାଟିରେ ଲିପା ଯାଇଥାଏ । ପ୍ରତ୍ୟେକ ପରିବାରରେ କିଚେନ୍ ଗାର୍ଡେନ୍ ରହିଥାଏ । ଘରଗୁଡିକ ୩ ଭାଗରେ ବିଭକ୍ତ ହୋଇଥାଏ । ଆଭ୍ୟନ୍ତରୀଣ ଭାଗରେ ଶସ୍ୟାଗାର , ମଧ୍ୟଭାଗରେ ରୋଷେଇ ଓ ଶୟନ କକ୍ଷ ରହିଥାଏ । ପାଉଡି ଭୂୟାଁମାନେ ମୁଖ୍ୟତଃ ମାଟିର ପାତ୍ର , ତାଳପତ୍ର ଚଟେଇ ଓ ବାଉଁଶ ଝୁଡି ବ୍ୟବହାର କରିଥାନ୍ତି । ସେମାନେ ପୋଡ଼ୁଚାଷ କରିଥାନ୍ତି । ସେମାନଙ୍କର ପୋଡ଼ୁ ଚାଷର କ୍ଷେତ୍ରକୁ ‘ ବିରିଙ୍ଗା ’ କୁହାଯାଏ । ଆଉ ମଧ୍ୟ ସେମାନେ ଡାଲି ଓ ବାଜରା ଜାତୀୟ ଚାଷ କରିଥାନ୍ତି । ଅନାବାଦି ଜମିଗୁଡିକ ଗ୍ରାମର ଅଧୀନକୁ ଚାଲିଯାଏ । ପାଉଡି ଭୂୟାଁମାନେ ଗାଈ , ମଇଁଷି , ଛେଳି , ମେଣ୍ଢା , କୁକୁଡା ଆଦି ପଶୁ ପାଳନ କରିଥାନ୍ତି । ଦୈନନ୍ଦିନ ଆବଶ୍ୟକତା ପୂରଣ ନିମନ୍ତେ ସେମାନେ ତାଙ୍କ କୃଷି ଓ ଜଙ୍ଗଲଜାତ ଦ୍ରବ୍ୟକୁ ଅନ୍ୟମାନଙ୍କ ସହ ବଦଳ କରିଥାନ୍ତି । ପାଉଡି ଭୂୟାଁ ଜନଜାତି ମାନେ ଧରମ ଦେବତା ଓ ବାସୁକୀ ମାତାଙ୍କୁ ମହାନ ଦେବାଦେବୀ ଭାବେ ମାନିଥାନ୍ତି । ସେମାନେ ଆମ ନୂଆ , କାଠଯାତ୍ରା , ଅଖାନୀ , ପରିଧି ଓ ଆଷାଢ ପର୍ବ ଆଦି ପାଳନ କରିଥାନ୍ତି ।