ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଭୁବନେଶ୍ବର ଲୋୟର ପିଏମଜି ଠାରେ ଅଣନିଯୁକ୍ତ ସଂସ୍କୃତ ଶିକ୍ଷକ ସଂଘ ତରଫରୁ ଗଣଧାରଣା ଦିଆଯାଇଛି। OSSTET ଏବଂ CBT ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଯୋଗ୍ୟ ସଂସ୍କୃତ ପ୍ରାର୍ଥୀଙ୍କୁ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ଦିଆଯାଉ ,ନଚେତ୍ ନୂତନ ପଦବୀ ସୃଷ୍ଟିକରି ସମସ୍ତ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ପ୍ରାର୍ଥୀମାନେ ଦାବୀ କରିଛନ୍ତି।
ଏହି ଦୁଇ ଦାବୀ ନେଇ ଗଣଧାରଣାରେ ବସିଛନ୍ତି ଶତାଧିକ ପ୍ରାର୍ଥୀ । ସଂଘର କହିବା ଅନୁସାରେ ୨୦୧୪ ମସିହା ଠାରୁ ଦୀର୍ଘ ୭ ବର୍ଷ ବହୁତ ଦୁଃଖ କଷ୍ଟ ଓ ମାନସିକ ଅସାନ୍ତି ମଧ୍ୟରେ ରହିବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଖାଲିଥିବା ସଂସ୍କୃତ ପଦବୀ ପୂରଣ କରିବା ପାଇଁ OSSTET ଏବଂ CBT ମାଧ୍ୟମରେ ପରୀକ୍ଷା କରାଯାଇଅଛି । ସରକାରଙ୍କ ବିଜ୍ଞାପନରେ ପ୍ରକାଶିତ ୧୩୦୪ ସଂସ୍କୃତ ପଦବୀ ମଧ୍ୟରୁ ଅନୁସୂଚୀତ ଜନଜାତି ( ST ) ମଧ୍ୟରେ ୫୦୭ ପଦବୀ , ସାଧାରଣ ବର୍ଗରେ ( UR ) ୫୬୦ ଏବଂ ପଛୁଆ ବର୍ଗରେ ୪୧ ପଦବୀ ଅନୁମୋଦିତ ହୋଇଥିଲା । ବର୍ତ୍ତମାନ CBT ପରୀକ୍ଷାର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କ ଫଳ ମଧ୍ୟ ପ୍ରକାଶ ପାଇଅଛି । ସେଥିରେ ସବୁବର୍ଗର ପ୍ରାର୍ଥୀମାନଙ୍କୁ ମିଶାଇ ୧୮୦୬ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସାଧାରଣ ବର୍ଗରେ ( UR ) ୫୨୨ ପ୍ରାର୍ଥୀ ଉତ୍ତୀର୍ଣ କରିଥିବା ବେଳେ ଅନୁସୂଚୀତ ଜନଜାତୀ ବର୍ଗରେ ୬୩ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି SEBC ବର୍ଗରେ ୧୦୨୩ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । କିନ୍ତୁ ଦୁଃଖର ବିଷୟ ଏହା ଯେ , ଜଣେ ସାଧାରଣ ବର୍ଗର ଓ ପଛୁଆ ବର୍ଗରେ ଉତ୍ତୀର୍ଣ ହୋଇଥିବା ପ୍ରାର୍ଥୀ ଅନୁସୂଚୀତ ଜନଜାତୀ ବର୍ଗର ଖାଲି ପଡ଼ିଥିବା ସ୍ଥାନ ନେଇପାରୁ ନାହିଁ। ସେହି କାରଣରୁ ହଜାର ହଜାର ଉତ୍ତୀର୍ଣ୍ଣ ଯୋଗ୍ୟ ପ୍ରାର୍ଥୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି । ଏମିତିରେ ମହାମାରୀ କରୋନା ସମୟରେ ଅସହାୟ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ସଂସ୍କୃତ ବିଷୟରେ MA , B.Ed. , M.Ed. , OSSTET, OTET ଉତ୍ତୀର୍ଣ କରି ମଧ୍ୟ ଭୋକ ଉପାସରେ ଅସହାୟ ହୋଇ ସମୟ ବିତାଉଛନ୍ତି । ଅନ୍ୟପଟେ ଅନୁସୂଚୀତ ଜନଜାତୀ ବର୍ଗର ବହୁତ ଖାଲି ପଦବୀ ମଧ୍ୟ ପୂରଣ ହୋଇପାରୁ ନାହିଁ । ଏବଂ ବିଦ୍ୟାଳୟରେ ମଧ୍ୟ ସେହି ପଦବୀଗୁଡ଼ିକ ଖାଲି ପଡୁଛି । ଯେଉଁ କାରଣରୁ ସେହି ସବୁ ଖାଲି ପଦବୀ ରହିଯିବାରୁ ବିଦ୍ୟାଳୟରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ସଂସ୍କୃତ ଅଧ୍ୟୟନରୁ ବଂଚିତ ହେଉଛନ୍ତି । ଯଦି ଯୋଗ୍ୟ ଉତ୍ତୀର୍ଣ ସଂସ୍କୃତ ପ୍ରାର୍ଥୀମାନଙ୍କୁ ସେହି ଖାଲି ରହିଥିବା ପଦବୀରେ ସୁଯୋଗ ଦିଆଯାଏ ସେମାନେ ମଧ୍ୟ ଉପକୃତ ହୋଇପାରିବେ ଏବଂ ତାଙ୍କ ଭବିଷ୍ୟତ ମଧ୍ୟ ସୁଧାରି ପାରିବେ ବୋଲି ଆଶା କରାଯାଉଛି ।