ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କମୁଛି ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଦୀପାବଳି ପରେ ରାଜ୍ୟରେ ଖୋଲିବ ପ୍ରାଥମିକ ବିଦ୍ୟାଳୟ । କରୋନା ପାଇଁ ପିଲାମାନଙ୍କର ଶିକ୍ଷା କ୍ଷେତ୍ରରେ ଅନେକ କ୍ଷତି ହୋଇସାରିଲାଣି। ତେବେ ଦୀପାବଳୀ ପରେ ସ୍କୁଲ ଯିବେ ପ୍ରଥମରୁ ସପ୍ତମ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପ୍ରଥମରୁ ସପ୍ତମ ଶ୍ରେଣୀ ଅଫ୍ଲାଇନ କ୍ଲାସ୍ ନେଇ ଗଣଶିକ୍ଷା ବିଭାଗ ବିଚାର କରୁଛି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲାଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ଦାଶ । ସ୍କୁଲ ଖୋଲିବା ଏକ ସ୍ଵାଭାବିକ ପ୍ରକ୍ରିୟା । ପିଲାଙ୍କ ମଧ୍ୟରେ ସ୍କୁଲ ଯିବା ପାଇଁ ଆଗ୍ରହ ସୃଷ୍ଟିହେଲାଣି । ପିଲାମାନଙ୍କ ପାଇଁ ଶିକ୍ଷା ସହ ସ୍ୱାସ୍ଥ୍ୟକୁ ଗୁରୁତ୍ଵ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ରହିଛି । ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଏକକାଳୀନ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ଠିକ୍ ହେବନି । ତେଣୁ ପର୍ଯ୍ୟାୟକ୍ରମେ ଏଗୁଡ଼ିକୁ ଖୋଲିବାକୁ ବିଚାର କରାଯାଉଛି । ୮ମରୁ ଦ୍ୱାଦଶ ଶ୍ରେଣୀ ସୁରୁଖୁରୁରେ ଚାଲିଛି । ଅନ୍ୟ ଶ୍ରେଣୀଗୁଡ଼ିକ ମଧ୍ୟ ଖୁବ୍ଶୀଘ୍ର ଖୋଲାଯିବ । ତେବେ ଦୀପାବଳି ପରେ ଏନେଇ ଚୂଡ଼ାନ୍ତ ନିଷ୍ପଭି ନିଆଯିବ ବୋଲି ଜଣାପଡ଼ିଛି ।