ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର:ସଭ୍ୟତାର ଦୁର୍ଲଭ ପ୍ରାଣୀଜାତିକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ଦାୟିତ୍ଵ ହେବା ଉଚିତ । ଜଣଙ୍କର ଜୀବିକାର୍ଜନ ପାଇଁ ଅନ୍ୟପ୍ରାଣୀଙ୍କୁ ବିପଦରେ ପକାଇବା ଉଚିତ ନୁହେଁ । ଆଜି କୃଷି ଭବନସ୍ଥିତ ପ୍ରେକ୍ଷାଳୟରେ ‘ ଫିସର ଫ୍ରେଣ୍ଡ ମୋବାଇଲ୍ ଆପ୍ଲିକେସନ୍ ’ ( ଏଫ୍ଏସ୍ଏସ୍ଏ ) କୁ ଲୋକାର୍ପଣ କରି କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ , ଉଚ୍ଚଶିକ୍ଷା ମନ୍ତ୍ରୀ ଡ . ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ୫ – ‘ ଟି ’ ମନ୍ତ୍ରୀ ଅଧୀନରେ ଟେକ୍ନୋଲୋଜିର ବ୍ୟବହାରକୁ ଅତ୍ୟନ୍ତ ଗୁରୁତ୍ୱ ଆରୋପ କରାଯାଇଛି । ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରି ସାଧାରଣ ଜନତାଙ୍କୁ ରାଜ୍ୟ ସରକାର ଅନେକ ସେବା ଯୋଗାଇ ଆସୁଛନ୍ତି। ଆଜି ଶୁଭାରମ୍ଭ ହେଉଥିବା ମୋବାଇଲ୍ ଆପ୍ ରାଜ୍ୟ ସରକାରଙ୍କର ଜନମୁଖୀ ଯୋଜନାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି । ଏହି ଅବସରରେ ମନ୍ତ୍ରୀ ଡ . ସାହୁ ବିରଳ ଅଲିଭ୍ ରିଡ୍ଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମନ୍ତ୍ରୀ ଡ . ସାହୁ ସୂଚନା ଦେଇଥିଲେ ଯେ ଏହି ମୋବାଇଲ୍ ଆପ୍ଲିକେସନ୍ ନିମନ୍ତେ ଇଣ୍ଟରନେଟ୍ର ଆବଶ୍ୟକତା ପଡ଼ିବ ନାହିଁ ଏବଂ ସମୁଦ୍ର ମଧ୍ୟରେ ଅଫ୍ ଲାଇନ୍ରେ ଏହା କାର୍ଯ୍ୟ କରିବ । ଏହା ଦ୍ଵାରା କଇଁଛମାନଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳଠାରୁ ଦୂରେଇ ରହିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ଏହି ଆପ୍ରୁ ସତର୍କ ସୂଚନା ମିଳିପାରିବ । ଫଳରେ ଅଜାଣତରେ ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ଦଣ୍ଡବିଧାନଜନିତ ଅପ୍ରିତିକର ପରିସ୍ଥିତିରୁ ମତ୍ସ୍ୟଜୀବୀ ବଞ୍ଚିପାରିବେ । ପ୍ରକୃତିପ୍ରେମୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନ ଓ ଦୃଢ଼ ନେତୃତ୍ଵ ଯୋଗୁଁ ମତ୍ସ୍ୟସଂପଦ ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ନୂତନ ଶିଖରରେ ପହଞ୍ଚିପାରିବା ସହ ମାଛ ଉତ୍ପାଦନ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡ଼ିଶା ଆଜି ଚତୁର୍ଥ ସ୍ଥାନରେ ପହଞ୍ଚିପାରିଛି ବୋଲି ମନ୍ତ୍ରୀ ଡ . ସାହୁ ପ୍ରକାଶ କରିଥିଲେ । ଏମ୍ସ୍ ସ୍ଵାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍ ସହଯୋଗରେ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଉନ୍ନତ ପ୍ରଯୁକ୍ତି ବିଦ୍ୟାଯୁକ୍ତ ଏହି ‘ ଫିସର ଫ୍ରେଣ୍ଡ ମୋବାଇଲ୍ ଆପ୍ଲିକେସନ୍ ’ ଓଡ଼ିଶା ଉପକୂଳରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡ୍ଲେଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପ୍ରବେଶଜନିତ ସତର୍କ ସୂଚନା ପ୍ରଦାନ କରିବା ସହିତ ଏହି ମୋବାଇଲ୍ ଆପ୍ ପାଣିପାଗ ସଂପର୍କିତ ଆଗୁଆ ସୂଚନା , ସମ୍ଭାବ୍ୟ ମାଛ ମିଳିବା ସ୍ଥାନ , ସାମୁଦ୍ରିକ ସ୍ଥିତିର ପୂର୍ବାନୁମାନ , ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ସତର୍କତା ଅନ୍ୟ ବିପର୍ଯ୍ୟୟ ସୂଚନା ଆଦି ପ୍ରଦାନ କରୁଥିବାରୁ ମନ୍ତ୍ରୀ ଡ . ସାହୁ ଏହାକୁ ନାଭିଗେଟର ସହ ତୁଳନା କରିଛନ୍ତି । ଏହି ଆପ୍ ଦ୍ଵାରା ସଂପୃକ୍ତ ୧.୫୦ ଲକ୍ଷ ସକ୍ରିୟ ସାମୁଦ୍ରିକ ମତ୍ସ୍ୟଜୀବୀ ଉପକୃତହେବେ । ମତ୍ସ୍ୟଜୀବୀମାନଙ୍କ ବ୍ୟତୀତ ସଂପୃକ୍ତ ବନବିଭାଗ କର୍ମଚାରୀମାନେ ମଧ୍ୟ ଏହି ଆପ୍କୁ ବ୍ୟବହାର କରିବା ନିମନ୍ତେ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ପ୍ରକାଶ ଥାଉ କି , ପ୍ରତିବର୍ଷ ଏହି ବିରଳ ଅଲିଭ୍ ରିଡ୍ଲେ ସାମୁଦ୍ରିକ କଇଁଛ ହଜାର ହଜାର ମାଇଲ୍ ଦୂରରୁ ଧାମରା , ଦେବୀନଦୀ , ଋଷିକୂଲ୍ୟା ନଦୀମୁହାଣ ଏବଂ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ଆସି ସାମୂହିକ ଅଣ୍ଡାଦାନ ନିମନ୍ତେ ଏକତ୍ର ହୋଇଥାନ୍ତି । ଏହି ଲୋକାର୍ପଣ ଉତ୍ସବକୁ ସମ୍ବୋଧୃତ କରି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଆର୍ , ରଘୁପ୍ରସାଦ ସାମୁଦ୍ରିକ ମାଛ ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟ ଉଲ୍ଲେଖନୀୟ ଅଗ୍ରଗତି କରିବା ସହିତ ଗତ ୨୦୨୦ – ୨୧ ଆର୍ଥିକ ବର୍ଷରେ ଏହା ୧.୭୨ ଲକ୍ଷ ମେଟ୍ରିକ୍ ଟନ୍ରେ ପହଞ୍ଚିବା ସହ ଅନ୍ତରାଷ୍ଟ୍ରୀୟ ବଜାରକୁ ଗତ ୨୦ ବର୍ଷରେ ରାଜ୍ୟର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୯ ଗୁଣ ବୃଦ୍ଧି ପାଇଥିବା ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଶା ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ( ବନ୍ୟପ୍ରାଣୀ ) ଶ୍ରୀ ଶଶି ପାଲ୍ ପ୍ରତିବର୍ଷ ପ୍ରାୟ ୮ରୁ ୧୦ ଲକ୍ଷ ଏହି ବିରଳ ପ୍ରଜାତିର କଇଁଛ ଆମ ରାଜ୍ୟକୁ ଅଣ୍ଡାଦାନ ନିମନ୍ତେ ଆସୁଥିବାବେଳେ ଏମାନଙ୍କ ପ୍ରତି ହୋଇଥିବା ଆମର ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଜାତୀୟ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇଥିବା ଦର୍ଶାଇଥିଲେ । ଏହି ଲୋକାର୍ପଣ ଉତ୍ସବରେ ସ୍ଵାଗତ ଭାଷଣ ଦେଇ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ପ୍ରାୟ ୧୪ ଲକ୍ଷ ଲୋକ ଜଡ଼ିତ ଥିବା କଥା କହିଥିଲେ । ଆଗାମୀ ଦିନରେ ଏହି ମୋବାଇଲ୍ ଆପ୍ଲିକେସନ୍ରେ ଆହୁରି ବୈଶିଷ୍ଟ୍ୟ ଯୋଗହେବ ବୋଲି ସେ କହିଥିଲେ । ରାଜ୍ୟର ବିଭିନ୍ନ ୧୧ଟି ସ୍ଥାନରୁ ମତ୍ସ୍ୟଜୀବୀ ଓ ମତ୍ସ୍ୟ ବିଭାଗର ଅଧିକାରୀମାନେ ଭିଡ଼ିଓ କନ୍ଫରେନିଂ ମାଧ୍ୟମରେ ଏହି ଲୋକାର୍ପଣ ଉତ୍ସବରେ ଯୋଗଦେଇଥିଲେ । ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର ପ୍ରଣାଳୀ ଉପରେ ଏକ କଥାଚିତ୍ର ପ୍ରଦର୍ଶିତ ହୋଇଥିବାବେଳେ ମତ୍ସ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ( ବୈଷୟିକ ) ଶ୍ରୀ ଦେବାନନ୍ଦ ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ ।