ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭହୋଇଥିଲାବେଳେ ସରକାର ପୌର ନିର୍ବାଚନ ପାଇଁ ବିଗୁଲ ବଜାଇଛନ୍ତି । ଆଗାମୀ ୯ ତାରିଖରୁ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ନେଇ ନଭେମ୍ବର ୯ ତାରିଖରୁ ମତାମତ ଗ୍ରହଣ କରାଯିବ। ମତାମତ ଦଖଲର ଶେଷ ଦିନ ନଭେମ୍ବର ୧୮ ତାରିଖ ରଖାଯାଇଛି । ନଭେମ୍ବର ୨୯ ତାରିଖରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ୨୯ ନଭେମ୍ବରରୁ ୧୩ ଡିସେମ୍ବର ମଧ୍ୟରେ ବିଜ୍ଞପ୍ତି ଉପରେ ଆପତ୍ତି ଅଭିଯୋଗ ଦାଖଲ କରାଯାଇପାରିବ ବୋଲି ସୂଚନା ମିଳିଛି।
ପୌର ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ନିର୍ବାଚନ ସୁରୁଖୁରରେ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ବି ଆରମ୍ଭ ହୋଇଛି। ହଠାତ୍ ପୌର ନିର୍ବାଚନ ନେଇ ଯଦି ରାଜ୍ୟ ସରକାର ଘୋଷଣା କରନ୍ତି ତେବେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ତିନି ପ୍ରମୁଖ ରାଜନୈତିକ ଦଳ ଏବେ ଠାରୁ ସଜବାଜ ଆରମ୍ଭ କରିଛନ୍ତି। ତିନି ରାଜନୈତିକ ଦଳ , ବିଜେଡି,ବିଜେପି ଓ କଂଗ୍ରେସ୍ ପୌର ପରିଷଦ ଓ ମହାନଗର ନିଗମ ଦଖଲ କରିବାପାଇଁ ରଣନୀତି ପ୍ରସ୍ତୁତ କଲେଣି । ତିନି ପ୍ରମୁଖ ଦଳ ଯୁବକ ଓ ମହିଳା ମାନଙ୍କୁ ନେଇ ଏଥରକର ନିର୍ବାଚନ ବୈତରଣୀ ପାର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି।
ଶାସକ ଦଳ ବିଜେଡି ପୌର ନିର୍ବାଚନ ପ୍ରଚାରରେ ଯେପରି ବିଜେଡି ଚାରିଆଡ଼େ ଛାଇ ଯିବ ସେନେଇ ଦଳ ଓ ସରକାରଙ୍କ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି। ସବୁ ଏନ୍ଏସି, ମ୍ୟୁନିସପାଲଟି, ମହାନଗର ନିଗମରେ ସରକାରଙ୍କ ପକ୍ଷରୁ ହେଉଥିବା ଉନ୍ନତିମୂଳକ କାର୍ଯ୍ୟକୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ କରିବାକୁ ପୌର ସଂସ୍ଥା ନିର୍ବାହୀ ଅଧିକାରୀ, ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ କୁହାଯାଇଛି। ଏପରିକି ଜଳ ସାଥୀ ଏବଂ ମୋ ଖତ ଯୋଜନାରେ ସାମିଲ୍ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି। ଏସ୍ଏଚ୍ଜିଗୁଡ଼ିକୁ ବିଭିନ୍ନ ଉପାୟରେ ସ୍ବାବଲମ୍ବୀ କରାଯାଇଛି। ବିଜେଡି ପକ୍ଷରୁ ନିର୍ବାଚନ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ହୋଇଥିଲେ ହେଁ ସବୁ ଆସନରେ ବହୁ ଆଶାୟୀ ଥିବାରୁ ଏବେ କାହାକୁ ନିର୍ଦ୍ଦିଷ୍ଟ ଭାବେ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କୁହାଯାଉନି। ସେପଟେ ବିରୋଧୀ ବିଜେପି ଆଇନଶୃଙ୍ଖଳା , ଡ୍ରେନେଜ୍, ସହ କେନ୍ଦ୍ରୀୟ ଅନୁଦାନ କୁ ରାଜ୍ୟ ବିନିଯୋଗ କରିପାରୁନାହାନ୍ତି ବୋଲି ଲୋକଙ୍କୁ ବୁଝୁଛି ।
ଏହାସହ ସବୁ ପୌରାଞ୍ଚଳରେ ଯେପରି ସଂଗଠନ ସୁଦୃଢ ହେବ, ଏବେଠୁ ପ୍ରାର୍ଥୀଙ୍କୁ ପ୍ରସ୍ତୁତ କରାଯିବ ସେଥିପାଇଁ ରାଜ୍ୟ ପୌର ନିର୍ବାଚନ କମିଟି ଗଠନ କରି ଦଳର ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ ଦେଇଛି। ସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇ ସରକାରଙ୍କୁ ଘେରିଛି। ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣିବାକୁ ବିଜେପି ଜୋରଦାର ଉଦ୍ୟମ ଜାରି ରଖିଛି।
ସେହିପରି କଂଗ୍ରେସ ମଧ୍ୟ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି। ଏବେ ବିଭିନ୍ନ ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉଭୟ ବିଜେଡି ଓ ବିଜେପି ଶାସିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅପାରଗତାକୁ ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି। ଏହାରି ମଧ୍ୟରେ ସାଧାରଣ ନିର୍ବାଚନକୁ ୨ବର୍ଷ ବିତିଗଲାଣି। ୨୦୧୪ ବିଧାନସଭା ନିର୍ବାଚନ ପୂର୍ବରୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନଓ ପୌରପରିଷଦ ନିର୍ବାଚନ ତିନି ଦଳ ପାଇଁ ଏସିଡ୍ ଟେଷ୍ଟ ଭଳି ହୋଇଛି।(ରିର୍ପୋଟ:ଆଶିଷ କୁମାର ରାଉତ)