ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଭୁବନେଶ୍ୱରର ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ବିରୋଧରେ ଆଜି ଏସ୍.ୟୁ.ସି.ଆଇ. ( କମ୍ୟୁନିଷ୍ଟ ) ପକ୍ଷରୁ ସ୍ଥାନୀୟ ବି.ଏମ୍.ସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରକାଶ ଥାଉକି ଭୁବନେଶ୍ବରର ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ଗତ ସେପ୍ଟେମ୍ବର ୧୯ ତାରିଖ ଦିନ ଜଣେ ୧୫ ବର୍ଷର ବାଳକ ବର୍ଷା ଜଳରେ ସୌଭାଗ୍ୟ ନଗର ଅଞ୍ଚଳରୁ ଭାସିଯାଇ ଖୋଲା ଡ୍ରେନ୍ ମଧ୍ୟରେ ନିଖୋଜ ହୋଇଯିବା ଓ ୧୫ ଘଣ୍ଟା ପରେ ତାଙ୍କର ମୃତଦେହ ଡୁମୁଡୁମା ଅଞ୍ଚଳରୁ ଉଦ୍ଧାର ହେବା ଘଟଣା ଖାଲି ଭୁବନେଶ୍ଵର ନୁହେଁ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ଭୁବନେଶ୍ବରରେ ଏଭଳି ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ବର୍ଷା ଜଳରେ ଆଚାର୍ଯ୍ୟବିହାର ଅଞ୍ଚଳରେ ଜଣେ ମା ପାଖରୁ ଶିଶୁ ପୁତ୍ର ଭାସି ଯାଇ ମୃତ୍ୟୁବରଣ କରିବା , ରସୁଲଗଡ ଜି.ଜି.ପି. କଲୋନୀ ଅଞ୍ଚଳରେ ବର୍ଷାଜଳରେ ଜଣେ ସ୍କୁଲ ଛାତ୍ରର ମୃତ୍ୟୁ ହେବା ଓ ବିଭିନ୍ନ ସମୟରେ ଖୋଲା ଡ୍ରେନ୍ ମଧ୍ୟରେ ପଡି ମୃତ୍ୟୁବରଣ କରିବା ଭଳି ହୃଦୟବିଦାରକ ଘଟଣା କାହାରି ମନରୁ ଲିଭିନାହିଁ । ଏହି ପରି ଛଅ ବର୍ଷ ମଧ୍ୟରେ ଛଅ ଜଣଙ୍କ ଜୀବନ ଗଲାଣି । ବମିଖାଲ , ରସୁଲଗଡ , ଇସ୍କନ ଆଦି ଅଞ୍ଚଳରେ ଅଳ୍ପ ବର୍ଷାରେ ମୁଖ୍ୟରାସ୍ତା ଉପରେ ଜଳ ସ୍ରୋତ ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ହୋଇଯିବା ଅତ୍ୟନ୍ତ ନିୟମିତ ଘଟଣାରେ ପରିଣତ ହେଲାଣି । ବସ୍ତି ଅଞ୍ଚଳରେ ନାହିଁ ନଥିବା ଅବସ୍ଥା । ଭୁବନେଶ୍ଵର ଚାରିପାଖ ଅଞ୍ଚଳରେ ନୂଆକରି ସୃଷ୍ଟି ହୋଇଥିବା ରେସିଡେନ୍ସିଆଲ୍ ଏରିଆ ମାନଙ୍କରେ ନାହିଁନଥିବା ଅବସ୍ଥା । ଚାଷ ଜମି ଗୁଡିକୁ ଘରଡିହ କିସମରେ ରୂପାନ୍ତରିତ କରିବାପରେ ସରକାରଙ୍କର କୌଣସି ମାଷ୍ଟର ପ୍ଲାନ ଅଭାବରୁ ଅବ୍ୟବସ୍ଥିତ ଭାବେ ଦ୍ରୁତ ଗୃହ ନିର୍ମାଣ ଯୋଗୁଁ ସେ ସବୁ ଅଞ୍ଚଳରେ ଜଳବନ୍ଦୀ ସୃଷ୍ଟି ହୋଇ ନାହିଁନଥିବା ଅବସ୍ଥା ସୃଷ୍ଟି ହେଉଛି । ଭୁବନେଶ୍ବର ମଧ୍ୟରେ ନୂତନଭାବେ ଚାରିଲେନ୍ ବିଶିଷ୍ଟ ଉଚ୍ଚ ଜାତୀୟ ରାଜପଥ ନିର୍ମାଣ ହେବାପରେ ସହରକୁ ଏହା ଦୁଇଭାଗରେ ବିଭକ୍ତକଲା ଯାହା ଜଳ ନିଷ୍କାସନର ପଥ ଅବରୋଧ କରିବାରୁ ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି ।
ତେଣୁ ଭୁବନେଶ୍ଵରର ସମଗ୍ର ଅଞ୍ଚଳକୁ ଡ୍ରେନେଜ ବ୍ୟବସ୍ଥାର ସମ୍ପ୍ରସାରଣ କରାଯିବା , ସବୁ ଡ୍ରେନ ଗୁଡିକୁ ଢାଙ୍କୁଣୀ ଯୁକ୍ତ କରାଯିବା , ପୁରୁଣା ଡ୍ରେନଗୁଡିକର ମରାମତି କରାଯିବା , ଡ୍ରେନଗୁଡିକର ନିୟମିତ ସଫେଇ ଓ ରକ୍ଷଣାବେକ୍ଷଣ କରିବାକୁ ଆବଶ୍ୟକ ମୁତାବକ ସ୍ଥାୟୀ କର୍ମଚାରୀ ନିଯୁକ୍ତ କରିବା , ଜାତୀୟରାଜପଥ ଯେଉଁ ଅଞ୍ଚଳରେ ଜଳ ନିଷ୍କାସନର ବାଟ ଅବରୋଧ କରୁଛି ସେସବୁ ସ୍ଥାନରେ ଅବିଳମ୍ବେ ଜାତୀୟରାଜପଥ କର୍ତ୍ତୃପକ୍ଷ ନିଷ୍କାସନର ଦ୍ଵାର ଖୋଲନ୍ତୁ ଓ ଏହାକୁ ମୁଖ୍ୟ ଡ୍ରେନ୍ ସହିତ ସଂଯୋଗ କରିବା ଦାବିରେ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭର ନେତୃତ୍ବ ନେଇଥିଲେ ଏସ୍.ୟୁ.ସି.ଆଇ. ( କମ୍ୟୁନିଷ୍ଟ ) ର ଜିଲ୍ଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା , ରାଜ୍ୟ କମିଟି ସଭ୍ୟ ରାଜେନ୍ଦ୍ର ବର୍ମା , ଜିଲ୍ଲା କମିଟି ସଦସ୍ୟ ସନ୍ତୋଷ ରଥ , ନିରଞ୍ଜନ ମହାନ୍ତି , ପ୍ରଭାମଞ୍ଜୁଳା ବ୍ରହ୍ମ , ବିଜୟଲକ୍ଷ୍ମୀ ପାତ୍ର , ବିଜ୍ଞାନ ବେହେରା , ନସିମ ସରକାର , ସ୍ଵସ୍ତି ସଙ୍ଗୀତା ଦଳାଇ , ସପ୍ତର୍ଷିନୀ ରାଉଳ , ସୁନିତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ।