ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ବିଶ୍ବର ଅଗ୍ରଣୀ ସୋସିଆଲ୍ ମିଡିଆ ସଂସ୍ଥା ଫେସବୁକ୍ ଏହାର ନାମ ପରିବର୍ତ୍ତନ କରିବା ଉପରେ ବିଚାର କରୁଛି । ଆମେରିକା ସରକାର କଂପାନିର ବ୍ୟାବସାୟିକ ଢାଞ୍ଚା ଉପରେ କଡ଼ା ନଜର ରଖିଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଫେସ୍ବୁକ୍ ନିଜର ନାମ ପରିବର୍ତ୍ତନ କରିବାକୁ ଯାଉଛି । ଗୁଗୁଲ୍ ଯେଭଳି ଆଲ୍ଫାବେଟ୍ ନାମ ରଖି ନିଜର ଛବି ବଦଳାଇଥିଲା , ସେହି ଢାଞ୍ଚାରେ ଫେସ୍ବୁକ୍ ନିଜ ଗ୍ରୁପ୍ର ନୂଆ ନାମ ରଖିବ । ସେହି ସଂସ୍ଥା ଅଧୀନରେ ଏହାର ବିଭିନ୍ନ ପ୍ରକାର ଉତ୍ପାଦ ଯଥା ଫେସବୁକ୍ , ହ୍ବାଟସ୍ଆପ୍ , ଇନଷ୍ଟାଗ୍ରାମ୍ ଏବଂ ଓକୁଲସ୍ ଆଦି ରହିବ । ୨୦୧୫ରେ ଗୁଗୁଲ୍ ନିଜର ହୋଲ୍ କଂପାନି ନାମ ରଖିଥିଲା ଆଲ୍ଫାବେଟ୍ ସର୍ଚ୍ଚ ଇଞ୍ଜିନ ଓ ବିଜ୍ଞାପନ ବ୍ୟବସାୟରୁ ଆଗକୁ ବଢ଼ି ଏହା ଅନ୍ୟ କ୍ଷେତ୍ରରେ ନିଜକୁ ସମ୍ପ୍ରସାରିତ କରିଥିଲା । ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍ ସେବା ପ୍ରଦାନ କରିବା , ସ୍ବୟଂଚାଳିତ ଗାଡ଼ି ତିଆରି କରିବା ଏବଂ ସ୍ବାସ୍ଥ୍ୟ ସେବା କ୍ଷେତ୍ର ଲାଗି ପ୍ରଯୁକ୍ତି ବିକଶିତ କରିବା ଭଳି ନୂତନ କ୍ଷେତ୍ରରେ ଏହା ପାଦ ଦେଇଥିଲା । ଲୋକମାନଙ୍କୁ ଇଣ୍ଟରନେଟ୍ ଜଗତରେ ଏକ ସମ୍ପୂର୍ଣ୍ଣ ଭିନ୍ନ ଦୁନିଆ ପ୍ରଦାନ କରିବା ଉପରେ ଫେସ୍ବୁକ୍ କାର୍ଯ୍ୟ କରୁଛି । ସେଥିପାଇଁ ଏହା ଭର୍ଟୁଆଲ୍ ରିଅଲିଟି ଓ ଅଗମେଣ୍ଟେଡ୍ ରିଅଲିଟି ( ଏଆର / ଭିଆର୍ ) ରେ ବିପୁଳ ନିବେଶ କରିଛି । ମେଟାଭର୍ସ ନାମରେ କଂପାନି ଏକ ପରିକଳ୍ପନା ପ୍ରସ୍ତୁତ କରିଛି । ସେହି ଯୋଜନା ଅଧୀନରେ ଆସନ୍ତା ୫ ବର୍ଷରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଏହା ୧୦ , ୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଚଳିତ ବର୍ଷ ଜୁଲାଇରେ ପ୍ରଥମ ଥର ଲାଗି ଫେସ୍ବୁକ୍ର ମୁଖ୍ୟ ମାର୍କ ଜୁକରବର୍ଗ ଏହି ବିଷୟରେ କହିଥିଲେ । ସେହିଦିନ ଠାରୁ ଏହି ଶବ୍ଦ ବେଶ ଚର୍ଚ୍ଚାରେ ରହିଛି ।