ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫ – ଟି ସଚିବ ଭିକେ ପାଣ୍ଡିଆନ ବୁଧବାର ପୁରୀ ଗସ୍ତକରି ଶ୍ରୀକ୍ଷେତ୍ରରେ ନିର୍ମାଣାଧୀନ ସ୍ପୋର୍ଟ୍ କମ୍ପ୍ଲେକ୍ସ କାର୍ଯ୍ୟର ତଦାରଖ କରିଛନ୍ତି । ପୁରୀ ପେଣ୍ଠକଟା ନିକଟରେ ୧୩ ଏକର ପରିମିତ ଅଞ୍ଚଳରେ ଏହି ଷ୍ଟାଡିୟମ୍ ନିର୍ମାଣ କରାଯାଉଥିବା ବେଳେ ଏହାକୁ ଜଗନ୍ନାଥ ଷ୍ଟାଡିୟମ୍ ନାଁରେ ନାମିତ କରାଯାଇଛି । ଏଠାରେ ଏକ କ୍ରିକେଟ୍ ଗ୍ରାଉଣ୍ଡ ସହ ସୁଇମିଂ ପୁଲ୍ , ଶହେ ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ଓ ଇଣ୍ଡୋର ହଲ୍ ମଧ୍ୟ ନିର୍ମାଣ କରାଯାଉଛି । ଡିସେମ୍ବର ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଠିକା ସଂସ୍ଥା ସହ ହୋଇଥିବା ଆଲୋଚନା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ୫ – ଟି ସଚିବ । ମୋଟ୍ ୪୦ କୋଟି ଟଙ୍କା ବ୍ୟୟରେ ଏହି ସ୍ପୋର୍ଟ୍ସ କମ୍ପ୍ଲେକ୍ସର ନିର୍ମାଣ କରାଯାଉଛି । ପୁରୀକୁ ଏକ ବିଶ୍ବସ୍ତରୀୟ ସହର ରୂପେ ଗଢ଼ି ତୋଳିବାର ପ୍ରୟାସରେ ରାଜ୍ୟ ସରକାର ଲାଗିଛନ୍ତି । ଏ ଦିଗରେ ଏହି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ବଡ଼ ଭୂମିକା ଗ୍ରହଣ କରିବ । ଆଗାମୀ ଦିନରେ ଏଠାରେ ରଣଜୀ ମ୍ୟାଚ୍ ଅନୁଷ୍ଠିତ କରାଇବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି । ଏଥିସହ ଇଣ୍ଡୋର ହଲ୍ ବଙ୍ଗୋ , କୁସ୍ତି , ଟେବଲଟେନିସ୍ , ଜିମ୍ନାଷ୍ଟିକ୍ସ ଭଳି ଖେଳର ଅଭ୍ୟାସ ଲାଗି ଏକ ପ୍ରକୃଷ୍ଟ ସ୍ଥାନ ସାଜିବ । ଏହି ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର୍ ଭିନିଲ୍ କ୍ରିଷ୍ଣା ଏବଂ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।