ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ସଂରକ୍ଷଣ ହାର ୫୦ ପ୍ରତିଶତ ମଧ୍ୟରେ ସୀମିତ ରହିବ । ପୌର ଆଇନରେ ସଂଶୋଧନକୁ ରାଜ୍ୟପାଳ ଅନୁମୋଦନ ଦେବା ପରେ ଆଇନ ବିଭାଗ ପକ୍ଷରୁ ସଂରକ୍ଷଣ ସଂକ୍ରାନ୍ତ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ ନଗର ଉନ୍ନୟନ ବିଭାଗ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିବ । ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ହାର ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆସନ୍ତା ୩୦ ତାରିଖ ସୁଦ୍ଧା ସରକାର ସଂରକ୍ଷଣ ସଂକ୍ରାନ୍ତ ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବା ପରେ ଆୟୋଗ ଭୋଟର ତାଲିକା ପ୍ରସ୍ତୁତ କରିବେ । ଭୋଟର ତାଲିକା ପ୍ରସ୍ତୁତି ପାଇଁ ପ୍ରାୟ ଦୁଇମାସ ସମୟ ଲାଗିବ । ତା’ପରେ ଆୟୋଗ ମତଦାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବେ । ସେହିପରି ପୌର ନିର୍ବାଚନ ପାଇଁ ନଗର ଉନ୍ନୟନ ବିଭାଗ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିବ । ୱାର୍ଡ ପୁନର୍ଗଠନ ସହ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ । ଏଥିପାଇଁ ପ୍ରାୟ ତିନି ମାସ ସମୟ ଲାଗିବ ବୋଲି ସୂଚନା ମିଳିଛି । ଏହାପରେ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତ କରିବା ପରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ।