ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ସଂଗଠନର ବିସ୍ତାର ତଥା ପରବର୍ତ୍ତୀ ପଦକ୍ଷେପ ନେଇ ଆଲୋଚନା କରିବା ପାଇଁ ପଞ୍ଜାବ କଂଗ୍ରେସର ଛାମୁଆ ନବଜୋତ୍ ସିଂହ ସିଦ୍ଧୁଙ୍କୁ କଂଗ୍ରେସ ହାଇକମାଣ୍ଡ ଦିଲ୍ଲୀ ଡକାଇଛନ୍ତି । ପଞ୍ଜାବ ପାଇଁ କଂଗ୍ରେସର ପ୍ରଭାରୀ ହରୀଶ ରାୱତ୍ ଓ କେ ସି ବେଣୁଗୋପାଳଙ୍କ ସହ ଏ ସଂକ୍ରାନ୍ତରେ ୧୪ , ଅକ୍ଟୋବରରେ ହିଁ ସିଦ୍ଧୁଙ୍କୁ ବୈଠକ କରିବେ ବୋଲି ହରୀଶ ରାୱତ ଆଜି ଟ୍ଵିଟ୍ କରି ସୂଚନା ଦେଇଛନ୍ତି । କଂଗ୍ରେସ ହାଇକମାଣ୍ଡ ଆଗାମୀ ପଞ୍ଜାବ ବିଧାନସଭା ପାଇଁ ଆଗୁଆ ସଜବାଜ ହେଉଛନ୍ତି ବୋଲି ଜଣାପଡୁଛି । ଏ ନେଇ ସିଦ୍ଧୁଙ୍କୁ ସ୍ପଷ୍ଟଭାବେ ନିର୍ଦ୍ଦେଶ ଦିଆଯିବା ସହିତ ସଂଗଠନର ବିସ୍ତାର କରିବା ନେଇ ଯୋଜନା ବିଷୟରେ ତଥ୍ୟ ମଗାଯାଇପାରେ ବୋଲି ଜଣାପଡ଼ିଛି । ତେବେ ଏହି ବୈଠକରେ ସିଦ୍ଧୁଙ୍କର ଇସ୍ତଫା ନେଇ ଆଲୋଚନା ହୋଇପାରେ ବୋଲି ସୂଚନା ମିଳୁଛି। ପଞ୍ଜାବରେ କଂଗ୍ରେସ କନ୍ଦଳ ବଢ଼ୁଥିବାରୁ ସିଦ୍ଧୁ ତାଙ୍କର ଇସ୍ତଫା ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଆଇସିସି ସିଦ୍ଧୁଙ୍କର ଇସ୍ତଫା ଉପରେ କୌଣସି ନିଷ୍ପତ୍ତି ନେଇ ନାହିଁ।