ସନ୍ଷ୍ଟାର ଟିଭି ବ୍ୟୁରୋ
ଆସନ୍ତା ଜାନୁୟାରୀରୁ ରାଜ୍ୟରେ ବିଜୁଳିର ଘୋର ସଙ୍କଟ ଦେଖାଦେବାର ଆଶଙ୍କା ରହିଛି । କାରଣ ଡିସେମ୍ବର ୩୧ ସୁଦ୍ଧା ବନ୍ଦ ହେବାକୁ ଯାଉଛି ତାଳଚେର ୪୬୦ ମେଗାୱାଟ୍ ବିଶିଷ୍ଟ ଥର୍ମାଲ୍ ପାଓ୍ଵାର ପ୍ଲାଣ୍ଟ । ତାଳଚେର ଥର୍ମାଲ୍ ପ୍ଲାଣ୍ଟରେ ଥିବା ୬ଟି ୟୁନିଟ୍ରୁ ସମସ୍ତ ବିଦ୍ୟୁତ୍ ଶକ୍ତି କେବଳ ଓଡ଼ିଶାକୁ ହିଁ ଯୋଗା ଯାଇଥାଏ। ହେଲେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରଦୂଷଣ ସମ୍ବନ୍ଧୀୟ ଆଦେଶ ମାନିନଥିବାରୁ ଏହି ବିଦ୍ୟୁତ୍ କେନ୍ଦ୍ରଟି ଆସନ୍ତା ଜାନୁଆରୀ ୧ ତାରିଖରୁ ବନ୍ଦ ହେବ ବୋଲି ଜଣାପଡ଼ିଛି । ପ୍ଲାଣ୍ଟ ବନ୍ଦ ହେଲେ ସାରା ରାଜ୍ୟକୁ ଘୋର ବିଦ୍ୟୁତ୍ ସଙ୍କଟର ସମ୍ମୁଖୀନ ହେବାକୁ ପଡିବ । ଏନ୍ଟିପିସି କର୍ତ୍ତୃପକ୍ଷଙ୍କ ଯୋଜନା ଥିଲା ଯେ, ଏହି ପୁରୁଣା ପ୍ଲାଣ୍ଟ ବଦଳରେ ୧୩୨୦ ମେଗାୱାଟ୍ ବିଶିଷ୍ଟ ୨ଟି ଅତ୍ୟାଧୁନିକ ୟୁନିଟ୍ର ପ୍ଲାଣ୍ଟ ସ୍ଥାପନ ହେବ। ତେବେ ରାଜ୍ୟ ସରକାରଙ୍କର ଅନୁମତି ପାଇବାରେ ବିଳମ୍ବ ହେବାରୁ ତାହାର ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିଛି।
ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡ ଅଧୀନରେ ଥିବା ଏହି ପ୍ଲାଣ୍ଟ କ୍ରମାଗତ ଭାବେ କ୍ଷତି ଏବଂ ବିଭିନ୍ନ କାରଣରୁ ପ୍ଲାଣ୍ଟ ଲୋଡ୍ ଫ୍ୟାକ୍ଟର (ପିଏଲ୍ଏଫ୍) ୧୫ ପ୍ରତିଶତକୁ ଖସିଆସିଥିବାରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ଏହାକୁ ଏନ୍ଟିପିସିକୁ ବିକ୍ରି କରାଯାଇଥିଲା । ଏନ୍ଟିପିସି ଏହି ପ୍ଲାଣ୍ଟର ଆଧୁନିକୀକରଣ ଓ ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରି କ୍ଷତିରେ ଚାଲୁଥିବା ଏହି ପ୍ଲାଣ୍ଟକୁ ଆଶାନୁରୂପ ଭାବେ ସଫଳତା ଲାଭ କରିବା ସହ ବିଦ୍ୟୁତ୍ ଉତ୍ପାଦନକୁ ଶତ ପ୍ରତିଶତରେ ପହଞ୍ଚାଇଥିଲେ । ତେବେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରଦୂଷଣ ସମ୍ବନ୍ଧୀୟ ନିୟମ ଅନୁପାଳନ ଅନୁସାରେ ଏହି ପ୍ଲାଣ୍ଟକୁ ୨୦୨୦ ଡିସେମ୍ବର ୩୧ ତାରିଖ ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଉ ଅଧିକ କାଳ ପ୍ଲାଣ୍ଟ ଚଲାଇବା ପାଇଁ ଏନ୍ଟିପିସିକୁ ପ୍ରତି ୟୁନିଟ୍ ପିଛା ୫୦ ଲକ୍ଷ ଟଙ୍କା ଏବଂ ଅଧିକ ବ୍ୟୟ କରିବାକୁ ପଡୁଥିବାରୁ ପ୍ରାୟ ୯ ହଜାର କୋଟି ଟଙ୍କା ବ୍ୟୟରେ ବିକଳ୍ପ ଭାବେ ଏକ ନୂଆ ଥର୍ମାଲ୍ ପ୍ଲାଣ୍ଟ ୨୦୧୮ ମସିହା ସୁଦ୍ଧା ନିର୍ମାଣ କରିବାକୁ ଏନ୍ଟିପିସି ସ୍ଥିର କରିଥିଲା । ହେଲେ ରାଜ୍ୟ ସରକାରଙ୍କ ଅନୁମତି ବିଳମ୍ବରେ ପାଇବା ହେତୁ ପୁରୁଣା ପ୍ଲାଣ୍ଟ ବନ୍ଦ ହେବା ସହ ନୂଆ ପ୍ଲାଣ୍ଟ ତିଆରି ହେବାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏ ସମ୍ପର୍କରେ ଏନ୍ଟିପିସିର ଜିଜିଏମ୍ କୌଣସି ମନ୍ତବ୍ୟ ଦେବାକୁ ଇଚ୍ଛା ପ୍ରକାଶ କରିନଥିଲେ ହେଁ ନୂତନ ପ୍ଲାଣ୍ଟ ନେଇ ସେ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି ।