ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କୁହନ୍ତି ଡାକ୍ତର ହେଉଛନ୍ତି ଭଗବାନଙ୍କର ରୂପ । ଏହି କଥାକୁ ବାସ୍ତବକତାର ରୂପ ଦେଇଛନ୍ତି ସମ୍ ହସ୍ପିଟାଲର ସର୍ଜନ ମାନେ। ଗୋଟିଏ ୨୧ ମାସର ଶିଶୁର ଛାତିରୁ ୫୦୦ ଗ୍ରାମ ଓଜନର ଏକ ବଡ ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସର୍ଜନମାନେ। ସାଢ଼େ ୮ କେଜି ଓଜନର ଏହି ଶିଶୁ ପୁତ୍ରଟିର ଗତ ୭ – ୮ ମାସ ହେବ ଓଜନ କମିବା ସହିତ ସେ ଖୁବ୍ ରୋଗିଣା ଦେଖାଯାଉଥିଲା ଏବଂ ତା’ର ଶରୀରର ଅମ୍ଳଜାନର ସ୍ତର ମଧ୍ୟ କମିବାରେ ଲାଗିଥିଲା ଯାହାକି ଶିଶୁର ପରିବାରର ଚିନ୍ତା ବଢ଼ାଇ ଦେଇଥିଲା । ଶିଶୁଟି ଯେତେବେଳେ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ପହଂଚିଥିଲା ତା’ର ଅମ୍ଳଜାନ ସ୍ତର ୯୦ ପ୍ରତିଶତରୁ କମ୍ ଥିଲା ଏବଂ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲା ବୋଲି ସମ୍ ହସ୍ପିଟାଲ୍ର ଶିଶୁ ଶଲ୍ୟ ବିଭାଗର ସର୍ଜନ ତଥା ଅପରେସନ୍ କରିଥିବା ମେଡିକାଲ୍ ଟିମ୍ ସଦସ୍ୟ ପ୍ରଫେସର ଅନ୍ତର୍ଯ୍ୟାମୀ ପ୍ରଧାନ କହିଛନ୍ତି । ସମ୍ପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିଥିଲା ଯେ ଶିଶୁଟିର ହୃଦଯନ୍ତ୍ର ସହ ଜଡିତ ହୋଇ ଛାତିରେ ୧୧ ସେମି ଆକୃତିର ଏକ ବଡ଼ ଟ୍ୟୁମର ବୃଦ୍ଧି ପାଇଛି ଯାହାକି ସମ୍ପୂର୍ଣ୍ଣ ରୂପେ ବାମ ପଟ ଫୁସଫୁସ୍ ଉପରେ ଚାପ ପକାଉଥିଲା । ହସ୍ପିଟାଲ୍ ପକ୍ଷରୁ ତୁରନ୍ତ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ରେଡିଓଲୋଜିଷ୍ଟ ପ୍ରଫେସର ସତ୍ୟ ଏସ୍ ମହାପାତ୍ର ଏବଂ ପ୍ରଫେସର ଆଦ୍ୟ କେ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଶିଶୁଟିର ସମସ୍ତ ପରୀକ୍ଷା ନିରୀକ୍ଷା କରା ଯାଇଥିଲା । ସିଟିଭିଏସ୍ ସର୍ଜନ୍ ପ୍ରଫେସର ଦେବାଶିଷ ସାହୁଙ୍କ ନେତୃତ୍ବରେ ଏହି ଅପରେସନ୍ କରାଯାଇଥିବା ବେଳେ ପ୍ରଫେସର ଅନ୍ତର୍ଯ୍ୟାମୀ ପ୍ରଧାନ ଡାକ୍ତରୀ ଟିମ୍ ପ୍ରମୁଖ ସଦସ୍ୟ ଥିଲେ । ଛାତିକୁ କ୍ଲାମସେଲ ଥୋରାକୋଟୋମି ପ୍ରକ୍ରିୟାରେ ଉନ୍ମୁକ୍ତ କରାଯାଇ ଏହି ବଡ଼ ଟ୍ୟୁମରକୁ ବାହାର କରାଯାଇଥିଲା । ହୃଦଯନ୍ତ ଏବଂ ଫୁସ୍ଫୁସ୍ ସହ ଯୋଡି ହୋଇ ରହିଥିବା ଏହି ଟ୍ୟୁମରକୁ ସମ୍ପୂର୍ଣ୍ଣ ରୂପେ ବାହାର କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ କୌଣସି ରକ୍ତସ୍ରାବ ହୋଇ ନଥିଲା ବୋଲି ପ୍ରଫେସର ପ୍ରଧାନ କହିଛନ୍ତି । ଅପରେସନ୍ ପରେ ଦୁଇ ଦିନ ନିମନ୍ତେ ଶିଶୁରୋଗ ଇଂଟେନ୍ସିଭ୍ କେୟାର ୟୁନିଟ (ପିଆଇସିୟୁ) ରେ ମେକାନିକାଲ୍ ଭେଂଟିଲେସନ୍ରେ ପ୍ରଫେସର ଦେବସ୍ମିତା ରଥ ଏବଂ ଡାକ୍ତର ବାସୁଦେବ ବିଶ୍ବାଳଙ୍କ ତତ୍ବାବଧାନରେ ଶିଶୁଟିକୁ ରଖା ଯାଇଥିଲା । ନିଶ୍ଚେତକ ପ୍ରକ୍ରିୟାରେ ସର୍ଜରୀ କରାଯାଇଥିବା ସମସ୍ତ ଡାକ୍ତରୀ ଟିମରେ ଅପରେସନ୍ରେ ସାହାଯ୍ୟ କରିବା ସହ ଶିଶୁଟିର ଚିକିତ୍ସାରେ ସମ୍ପୂର୍ଣ ସହଯୋଗ କରିଥିଲେ ।