ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ବଲିଉଡ୍ର ଦବଙ୍ଗ ହିରୋ ସଲମାନ ଖାନ୍ ପ୍ରାୟ ୧୦ ବର୍ଷ ତଳେ ‘ ବିଗ୍ ବସ୍ ’ ସହ ଯୋଡ଼ି ହୋଇଥିଲେ । ଏହାର ସିଜନ୍ – ୪ରେ ସେ ପ୍ରଥମ ଥର ସଂଚାଳନା ଦାୟିତ୍ଵ ନିର୍ବାହ କରିଥିଲେ । ସେବେଠୁ ଆଜି ପର୍ଯ୍ୟନ୍ତ ସଲମାନ୍ ‘ ବିଗ୍ ବସ୍ ’ ହୋଷ୍ଟ ଭାବେ ନଜର ଆସୁଛନ୍ତି । ଶୋ’ରେ ସଲମାନ ଡିମାଣ୍ଡ ଯେମିତି , ତାଙ୍କ ପାରିଶ୍ରମିକ ମଧ୍ୟ ସେମିତି । ‘ ବିଗ୍ ବସ୍’ର ୧୧ଟି ସିଜନ୍ ହୋଷ୍ଟ କରିବା ପାଇଁ ସଲୁ କେତେ ପାରିଶ୍ରମିକ ନେଇଛନ୍ତି , ସେ ବିଷୟ ସର୍ବଦା ଚର୍ଚ୍ଚାରେ ରହିଛି । ଏକ ଲୋକପ୍ରିୟ ମନୋରଞ୍ଜନଧର୍ମୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ , ‘ ବିଗ୍ ବସ୍ ’ ସିଜନ୍ – ୪ , ୫ , ୬ ପାଇଁ ଏପିସୋଡ୍ ପିଛା ସଲୁଙ୍କୁ ୨.୪ କୋଟି ଟଙ୍କା ଦିଆଯାଇଥିଲା ତା’ପରେ ସେ ନିଜର ପାରିଶ୍ରମିକ ବଢ଼ାଇଥିଲେ । ‘ ବିଗ୍ – ବସ୍ ’ ସିଜନ୍ ୭ରେ ସେ ଏପିସୋଡ୍ ପିଛା ୫ କୋଟି ଟଙ୍କା ନେଇଥିଲେ । ସିଜନ୍ – ୮ରେ ସଲୁ ପୁଣି ରେଟ୍ ବଢ଼ାଇଲେ । ଏପିସୋଡ୍ ପିଛା ସେ ୫.୫ କୋଟି ଟଙ୍କା ଚାର୍ଜ କରିଥିଲେ । ‘ ବିଗ୍ ବସ୍ – ୧୧ ’ ପ୍ରସାରଣ ସମୟରେ ଚର୍ଚ୍ଚା ହେଲା , ସେ ତାଙ୍କର ନିଜର ପାରିଶ୍ରମିକ ବଢ଼ାଇ ୧୧ କୋଟି କରିଛନ୍ତି । କିନ୍ତୁ ଯେତେବେଳେ ଏ ବିଷୟରେ ପଚରାଗଲା , ସେ କହିଥିଲେ- ଦୟାକରି ଏଣ୍ଡମୋଲ୍ର ସିଇଓ ରାଜ ନାୟକଙ୍କୁ କୁହନ୍ତୁ ଯେ ସେ ମୋତେ ଏହା ଦିଅନ୍ତୁ । ‘ ବିଗ୍ ବସ୍ ୧୨’ରେ ସଲମାନଙ୍କୁ ପୂରା ସିଜନ୍ ପାଇଁ ୧୬୫ କୋଟି ମିଳିଥିବା ଶୁଣିବାକୁ ମିଳିଲା।
ତେବେ ବିଗ୍ ବସ୍ – ୧୪ ସମୟରେ ମହାମାରୀ ଯୋଗୁ ଦେଶର ଆର୍ଥିତ ସ୍ଥିତି ବହୁତ ଖରାପ ଥିଲା । ତେଣୁ ସଲମାନ ନିଜ ପାରିଶ୍ରମିକ କାଟିଥିବା ଶୁଣାଗଲା । ସେତେବେଳେ ଏପିସୋଡ୍ ପିଛା ସଲୁଙ୍କୁ ୧୦.୨୫ କୋଟି ମିଳିଥିବା ଚର୍ଚ୍ଚା ଥିଲା ଅର୍ଥାତ୍ ପୂରା ସିଜନ୍ ପାଇଁ ୨୫୦ କୋଟି ଡିଲ୍ ହୋଇଥିଲା । ଏବେ ସିଜନ୍ – ୧୫କୁ ନେଇ ସଲୁ ପୁଣି ଚର୍ଚ୍ଚାରେ । ସେ ନିଜ ପାରିଶ୍ରମିକ ୧୫ ପ୍ରତିଶତ ବଢ଼ାଇଥିବା ଶୁଣିବାକୁ ମିଳୁଛି । ପୂରା ସିଜନ୍ ପାଇଁ ସେ ପ୍ରାୟ ୫୦୦ କୋଟି ନେବେ । ଆଉ କିଛି ରିପୋର୍ଟରେ ଦାବି କରାଯାଇଛି , ସିଜନ୍ – ୧୫ର ୨୮ଟି ଏପିସୋଡ୍ ହୋଷ୍ଟ କରିବା ପାଇଁ ସଲ୍ଲୁଙ୍କୁ ୩୫୦ କୋଟି ମିଳିବ ।