ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସରକାରୀ ତୈଳ ବିପଣନ କମ୍ପାନୀମାନେ କ୍ରମାଗତ ଭାବେ ଦୁଇଦିନ ଧରି ଡିଜେଲ ଦର ବୃଦ୍ଧି କରିଛନ୍ତି । ଗତ ସପ୍ତାହରୁ ଆରମ୍ଭ ହୋଇଥିବା ଏହି ଧାରାରେ ତୃତୀୟଥର ପାଇଁ ଦରବୃଦ୍ଧି ଘଟିଛି । ଅପରପକ୍ଷରେ ପେଟ୍ରୋଲ୍ ଦର ସ୍ଥିର ରହିଛି । ଡିଜେଲ୍ ଦରରେ ୨୫ ପଇସା ବୃଦ୍ଧି ଘଟିଛି । ଏହି ବୃଦ୍ଧି ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ପୂର୍ବବତ୍ ୧୦୧.୧୯ ଟଙ୍କା ରହିଥିବା ବେଳେ ଡିଜେଲ୍ ଦର ୮୯.୩୨ ଟଙ୍କା ରହିଛି । ଠିକ୍ ସେହିପରି ମୁମ୍ବାଇରେ ପେଟ୍ରୋଲ୍ ଦର ୧୦୭.୨୬ ଟଙ୍କା ଓ ଡିଜେଲ୍ ଦର ୯୬.୯୪ ଟଙ୍କା ରହିଛି କୋଲକାତାରେ ପେଟ୍ରୋଲ ଦର ୧୦୧.୬୨ ଟଙ୍କା ଓ ଡିଜେଲ୍ ଦର ୯୨.୪୨ ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ୍ ଦର ୯୮.୯୬ ଓ ଡିଜେଲ୍ ଦର ୯୩.୯୪ ଟଙ୍କା ରହିଛି । ଭୁବନେଶ୍ବରରେ ପେଟ୍ରୋଲ୍ ଦର ୧୦୨.୦୪ ଟଙ୍କା ଥିଲା ବେଳେ ଡିଜେଲ୍ ଦର ୯୭.୩୭ ଟଙ୍କା ରହିଛି । ଏହି ବୃଦ୍ଧି ଫଳରେ ରାଜସ୍ଥାନରେ ଡିଜେଲ୍ ଦର ୧୦୩.୦୫ ଟଙ୍କା ରହିଛି। ଅପରପକ୍ଷରେ ଅନ୍ତର୍ଜାତୀୟସ୍ତରରେ ଅଶୋଧିତ ତୈଳ ଦର ବିଗତ ତିନିବର୍ଷର ରେକର୍ଡ ଭାଙ୍ଗିଛି । ଅଶୋଧିତ ତେଲ ଦର ୭୮ ଡଲାର୍ ପ୍ରତି ବ୍ୟାରେଲ୍ ଅତିକ୍ରମ କରିଛି । ଯାହା ଆଗାମୀ ସମୟରେ ଦେଶରେ ତେଲ ଦର ଆହୁରି ବୃଦ୍ଧି ଘଟିବାର ସମ୍ଭାବନା ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ପେଟ୍ରୋଲ୍ ଦରରେ ସରକାର ୧୭.୨୨ ଟଙ୍କା ଓ ଡିଜେଲ୍ ଦରରେ ୧୫.୨୦ ଟଙ୍କା ବୃଦ୍ଧି କରିଛନ୍ତି ।