ସନଷ୍ଟାର ଟିଭି ବ୍ୟୁରୋ
କାବୁଲ: ଆରମ୍ଭ ହେଇଗଲାଣି ତାଲିବାନଙ୍କର ମନମାନି। ନିଜ ଇଚ୍ଛା ମୂତାବତ ଶାସନ ଚଳାଇଛି ତାଲିବାନ। ଆଫଗାନିସ୍ତାନ ଶାସନ ଭାର ଗ୍ରହଣ କରିବା ପରେ ତାଲିବାନୀମାନଙ୍କ ମୌଳବାଦୀ ଚିନ୍ତାଧାରା ଶାସନ ଦେଖିବାକୁ ମିଳିଛି । ଲୋକମାନଙ୍କୁ ଜୀବନଯାପନରେ ସ୍ଵାଧୀନତା ଦେବାକୁ ଆଶ୍ବାସନା ଦେଇଥିବା ତାଲିବାନୀ ସରକାର ଧୀରେଧୀରେ ନିଜର କଠୋରପନ୍ଥୀ ଇସ୍ଲାମିକ୍ ଆଚରଣ ଦେଖାଇବା ଆରମ୍ଭ କରିଛି। ପ୍ରତିଦିନ ଦେଖିବାକୁ ମିଳୁଛି ନୂଆ ନୂଆ ଆଇନ। ମହିଳା ମାନଙ୍କ ପିନ୍ଧିବା ଠାରୁ ଆରମ୍ଭ କରି ରହିବା ପାଇଁ ନୂଆ ଆଇନ ପ୍ରଣୟନ କରିବା ପରେ ଶିକ୍ଷା ଅନୁଷ୍ଠାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ତେବେ ଏଥିରୁ ବାଦ ପଡିନାହିଁ ସେଲୁନ। ତାଲିବାନୀମାନେ ଆଫଗାନିସ୍ତାନରେ ଥିବା ସେଲୁନଗୁଡ଼ିକୁ ନୂଆ ନିର୍ଦ୍ଦେଶନାମା ଜାରି କରିଛି । ନୂଆ ନିର୍ଦ୍ଦେଶନାମା ଅନୁସାରେ ସେଲୁନ୍ଗୁଡ଼ିକୁ କୌଣସି ବ୍ୟକ୍ତିଙ୍କର ଦାଢ଼ି କାଟିବାକୁ ଅନୁମତି ଦିଆଯିବ ନାହିଁ ।
ଇସ୍ଲାମିକ୍ ଆଇନ୍ ଅନୁସାରେ ପୁରୁଷମାନଙ୍କୁ ଦାଢ଼ି ବଢ଼ାଇବା ଅନିବାର୍ଯ୍ୟ ବୋଲି କୁହାଯାଇଛି । କିଛି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆଫଗାନିସ୍ତାନର ହେଲମନ୍ତ ପ୍ରଦେଶରେ ଥିବା ଅନେକ ସେଲୁନ୍ରେ ଏପରି ନୋଟିସ୍ ଲଗାଇ ଦିଆଯାଇଛି । ଆମେରିକା ଶୈଳୀରେ ଦାଢ଼ି କାଟିବା ବନ୍ଦ କରି ଇସ୍ଲାମିକ୍ ନିୟମ ପାଳନ କରିବାକୁ ନୋଟିରେ କୁହାଯାଇଛି । ଏହାବ୍ୟତୀତ ଏହି ନୋଟିସ୍ ବିପକ୍ଷରେ କୌଣସି ପ୍ରକାରର ଅଭିଯୋଗ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଆଫଗାନିସ୍ତାନର ଅନ୍ୟ ଅଞ୍ଚଳରୁ ମଧ୍ୟ ଏପରି ଖବର ଆସୁଥିବାର ଜଣାପଡ଼ିଛି ।