ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ମିଆଁମାର ଉପକୂଳ ତତ୍ ସଂଲଗ୍ନ ମାର୍ଟାବାନଉପକୂଳ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଅବପାତର ରୂପ ନେଇଛି । ଏହି ଲଘୁଚାପ ବାତ୍ୟା ରୂପ ନେବ । ଏହି ବାତ୍ୟାର ନାମ ‘ ଡିଆଁମୁଁ । ଆସନ୍ତା ୨୪ ଘଣ୍ଟାରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ପରବର୍ତ୍ତୀ ସମୟରେ ପଶ୍ଚିମ , ଦକ୍ଷିଣ- ବର୍ଷା ପଶ୍ଚିମ ଦିଗରେ ଗତିକରି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ମଧ୍ୟରେ ବିଶାଖାପାଟନମ ଓ ଗୋପାଳପୁର ମଧ୍ୟବର୍ତ୍ତୀ କଳିଙ୍ଗପାଟନମରେ ୨୬ ତାରିଖ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ । ଏହି ଲଘୁଚାପ ପୂର୍ବ ଦକ୍ଷିଣ – ପୂର୍ବରେ ଗୋପାଳପୁରରୁ ୬୭୦ କିମି ଏବଂ ପୂର୍ବ କଳିଙ୍ଗପାଟନମରୁ ୭୪୦ କିମି ଦୂରରେ ରହିଛି । ଆସନ୍ତାକାଲି ବାତ୍ୟାର ରୂପ ନେବା ଦ୍ବାରା ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ବେଗରେ ବହିବ । ୨୬ରେ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କିମି ରହିବ । ସ୍ଥଳଭାଗ ଛୁଇଁବାବେଳେ ପବନ ଘଣ୍ଟା ପ୍ରତି ୯୦ କିମି ରହିପାରେ । ୨୭ ବେଳକୁ ବାତ୍ୟା ଦୁର୍ବଳ ହେବାରୁ ପବନର ବେଗ କମି ୪୫ରୁ ୫୫ କିମି ବେଗ ରହିବଏହାର ପ୍ରଭାବରେ ଆସନ୍ତାକାଲି ( ଶନିବାର ) ଠାରୁ ବର୍ଷା ଆରମ୍ଭ ହୋଇଯିବ । ୨୮ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ରହିବ । ରବିବାର ଏବଂ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ବାତ୍ୟାର ପ୍ରଭାବ ଗଞ୍ଜାମ , ଗଜପତି , କୋରାପୁଟ ଏବଂ ରାୟଗଡା ଜିଲ୍ଲାରେ ପଡିବ । ଅତି ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବ ବୋଲି ଭୁବନେଶ୍ଵର ପାଣିପାଗ କେନ୍ଦ୍ର ଆକଳନ କରିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ଅଳ୍ପ କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବ । ଭଦ୍ରକ , କେନ୍ଦ୍ରାପଡା , କଟକ , ଖୋର୍ଦ୍ଧା , ପୁରୀ , ନୟାଗଡ , ଗଞ୍ଜାମ ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ବାଲେଶ୍ବର , ଭଦ୍ରକ , ଯାଜପୁର କେନ୍ଦ୍ରାପଡା , କଟକ , ଜଗତସିଂହପୁର , ପୁରୀ , ଖୋର୍ଦ୍ଧା , ନୟାଗଡ , ଗଞ୍ଜାମ , ଗଜପତି , ମୟୂରଭଞ୍ଜ , କେନ୍ଦୁଝର , ମାଲକାନଗିରି , କୋରାପୁଟ ଏବଂ ରାୟଗଡା ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବ । ଉପରୋକ୍ତ ଜିଲାଗୁଡିକୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ହଳଦିଆ ଚେତାବନୀ ( ୟେଲୋ ଓ୍ବାର୍ଣ୍ଣିଙ୍ଗ) ଜାରି କରାଯାଇଛି ।
ସେହିପରି ୨୬ରେ କନ୍ଧମାଳ , ଗଞ୍ଜାମ , ରାୟଗଡା ଓ ଗଜପତି ଜିଲାରେ ଅତି ପ୍ରବଳ ବର୍ଷା ହେବାକୁ ଥିବାରୁ ନାଲିଆ ଚେତାବନୀ (ରେଡ ଓ୍ବାର୍ଣ୍ଣିଙ୍ଗ)ଦିଆଯାଇଛି । କଟକ , ଜଗତସିଂହପୁର , ପୁରୀ , ଖୋର୍ଦ୍ଧା , ନୟାଗଡ଼ , କଳାହାଣ୍ଡି , ନବରଙ୍ଗପୁର , କୋରାପୁଟ ଓ ମାଲକାନଗିରି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାରୁ କମଳା ଚେତାବନୀ (ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ) ଜାରି ହୋଇଛି । ଭଦ୍ରକ , କେନ୍ଦ୍ରାପଡା , ଯାଜପୁର , ଢେଙ୍କାନାଳ , ବୌଦ୍ଧ , ସୋନପୁର , ବଲାଙ୍ଗୀର ଓ ନୂଆପଡା ଜିଲାକୁ ହଳଦିଆ ଚେତାବନୀ ( ୟେଲୋ ଓ୍ବାର୍ଣ୍ଣିଙ୍ଗ) ଜାରି କରିଛି ପାଣିପାଗ ବିଭାଗ ।
ଏହପରେ ୨୭ରେ ନୂଆପଡା , କନ୍ଧମାଳ , କଳାହାଣ୍ଡି , ନବରଙ୍ଗପୁର , ରାୟଗଡା , କୋରାପୁଟ ଓ ମାଲକାନଗିରି ଜିଲାର ପ୍ରବଳରୁ ଅତି ପ୍ରବଳବର୍ଷାହେବ । ଏସବୁ ଜିଲ୍ଲାକୁ କମଳା ଚେତାବନୀ (ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ)ଜାରି କରାଯାଇଛି । ବୌଦ୍ଧ , ବଲାଙ୍ଗୀର , ସୋନପୁର , ଗଞ୍ଜାମ , ଗଜପତି ଓ ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷିବ ଲଘୁଚାପ ଉପରୋକ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ( ୟେଲୋ ଓ୍ବାର୍ଣ୍ଣିଙ୍ଗ) ଦିଆଯାଇଛି । ଅତି ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ତଳିଆ ଅଞ୍ଚଳରେ ପାଣି ଜମିପାରେ । କଚ୍ଚା ଘର ଓ ରାସ୍ତା ଧୋଇ ହେବା ସମ୍ଭାବନା ରହିଛି । ନଦୀରେ ଜଳପତ୍ତନ ବୃଦ୍ଧି ହେବ । ସୁରକ୍ଷିତ ଭାବେ ଘରେ ରହିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ତେବେ ୨୮ରେ କୋରାପୁଟ , ମାଲକାନଗିରି , ନବରଙ୍ଗପୁର , ନୂଆପଡା , କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷିବ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଉତ୍ତର ବଙ୍ଗୋପସାଗରକୁ ୨୫ ଓ ୨୬ , ଉପକୂଳ ଓଡ଼ିଶାର ଉତ୍ତର ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ୨୬ ଓ ୨୭ରେ ମସ୍ୟଜୀବୀ ପ୍ରବେଶ ନକରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଉପରୋକ୍ତ ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ । ଲଘୁଚାପ ଜନିତ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ ଆୟୁକ୍ତ ସତର୍କ ରହିବା ପାଇଁ ସ୍ଵତନ୍ତ୍ର ରିଲିଫ୍ ଆୟୁକ୍ତ ( ଏଆରସି ) ପରାମର୍ଶ ଦେଇଛନ୍ତି ।