ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜରେ + ୩ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍ରୁମ୍ ପାଠପଢ଼ା ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ । ୨୦୨୦ – ୨୧ ବର୍ଷରେ ନାମଲେଖାଇଥିବା ଛାତ୍ରଛାତ୍ରୀ କ୍ଲାସ୍ କରିବାକୁ ଆସିବେ । ସେହି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ମଧ୍ୟ ଖୋଲାଯାଇଛି । ଏ ସମ୍ପର୍କରେ ରାଜ୍ୟ ଉଚ୍ଚଶିକ୍ଷା ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।
ଶ୍ରୀ ମିଶ୍ର ଉଲ୍ଲେଖ କରିଛନ୍ତି , ଚଳିତ ବର୍ଷର + ୩ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କର କରୋନା କଟକଣା ଅନୁଯାୟୀ କ୍ଲାସ ହେବ । କ୍ବାଣ୍ଟେନମେଣ୍ଟ ଅଞ୍ଚଳର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଶିକ୍ଷାନୁଷ୍ଠାନ ଆସିବାକୁ ବାରଣ କରାଯାଇଛି । ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ନିକଟରେ କରୋନା ଜନିତ ଲକ୍ଷଣ ଦେଖାଗଲେ କର୍ତ୍ତୁପକ୍ଷଙ୍କୁ ଯୋଗାଯୋଗ କରିବାକୁ ବିଭାଗକୁ ପରାମର୍ଶ ଦିଆଯାଇଛି । ସେହିପରି ପ୍ରତ୍ୟେକ କଲେଜ କ୍ୟାମ୍ପସରେ ଆଇସୋଲେସନ୍ ରୁମ୍ ରହିବ । ଉଭୟ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ଏହି ନିୟମ କଡ଼ାକଡ଼ି କରାଯିବ । ଉଭୟ କ୍ଲାସରୁମ୍ ପାଠପଢ଼ା ଓ ହଷ୍ଟେଲରେ ରହିବା ବ୍ୟବସ୍ଥା କରୋନା କଟକଣା ମଧ୍ୟରେ ହେବ । ଅପରପକ୍ଷେ , ଚଳିତ ବର୍ଷର ସ୍ନାତକ ( ୟୁଜି ) ଓ ସ୍ନାତକୋତ୍ତର ( ପିଜି ) ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ସମ୍ପର୍କରେ ଖୁବ୍ଶୀଘ୍ର ନିଷ୍ପତ୍ତି କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।