ସନଷ୍ଟାର ଟିଭି ବ୍ୟୁରୋ
ଡେରାଡୁନ : ଉତ୍ତରାଖଣ୍ଡ ହାଇକୋର୍ଟ ଗୁରୁବାର ରାଜ୍ୟରେ ଅନୁଷ୍ଠିତ ହେବାକୁଥିବା ଚାରିଧାମ ଯାତ୍ରା ଉପରୁ କଟକଣା ହଟାଇ ଦେଇଛନ୍ତି। ସୂଚନାଯୋଗ୍ୟ କୋଭିଡ୍ ଯୋଗୁଁ ହାଇକୋର୍ଟ ଜୁନ୍ ୨୮ରେ ଏହି ଯାତ୍ରା ଉପରେ କଟକଣା ଲାଗୁ କରିଥିଲେ । ପ୍ରତିବର୍ଷ ଉତ୍ତରାଖଣ୍ଡରେ ଆୟୋଜିତ ହେଉଥିବା ଏହି ଯାତ୍ରାରେ ଶ୍ରଦ୍ଧାଳୁମାନେ ବଦ୍ରିନାଥ କେଦାରନାଥ , ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଦର୍ଶନ କରିବାର ସୁଯୋଗଲାଭ କରିଥାନ୍ତି । ହାଇକୋର୍ଟ ଏଥର ଚାରଧାମ୍ ଯାତ୍ରା ପାଇଁ ଅନୁମତି ପ୍ରଦାନ କରିଥିଲେ ସୁଦ୍ଧା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଉପରେ କଟକଣା ଜାରି କରିଛନ୍ତି । ତଦନୁଯାୟୀ ବଦ୍ରିନାଥ ଦର୍ଶନ ପାଇଁ ଦୈନିକ ୧୦୦୦, କେଦାରନାଥ ପାଇଁ ୮୦୦ ଗଙ୍ଗୋତ୍ରୀ ପାଇଁ ୬୦୦ ଓ ଯମୁନେତ୍ରୀ ପାଇଁ ୪୦୦ ଶ୍ରଦ୍ଧାଳୁଙ୍କୁ ଅନୁମତି ପ୍ରଦାନ କରାଯାଇଛି । ଏହାବ୍ୟତୀତ ଏହି ଚାରିଟି ଧାର୍ମିକସ୍ଥଳରେ ହେଲିକପ୍ଟର ଓ ଆମ୍ବୁଲାନ୍ସ ପ୍ରସ୍ତୁତ ରଖୁବାକୁ ହାଇକୋର୍ଟ ଉତ୍ତରାଖଣ୍ଡ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହରିଦ୍ୱାରରୁ ଶ୍ରଦ୍ଧାଳୁମାନେ ଏହି ଯାତ୍ରା ଆରମ୍ଭ କରୁଥିବାରୁ ସେଠାରେ ସମସ୍ତ ପ୍ରକାର ଡାକ୍ତରୀ ଚିକିତ୍ସା ସୁବିଧା ପ୍ରସ୍ତୁତ ରଖୁବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତବର୍ଷ ଜୁଲାଇ ୧ରୁ ଚାରଧାମ୍ ଯାତ୍ରା ଆରମ୍ଭ କରିବାକୁ ଉତ୍ତରାଖଣ୍ଡ ସରକାର ଘୋଷଣା କରିଥିଲେ ସୁଦ୍ଧା ହାଇକୋର୍ଟ ଏହା ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ । ଗତବର୍ଷ କୋଭିଡ୍ ସତ୍ତ୍ବେ ୩ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ଚାରଧାମ୍ ଯାତ୍ରାରେ ସାମିଲ ହୋଇଥିଲେ ବୋଲି ଚାରଧାମ୍ ଦେବସ୍ଥାନମ ମ୍ୟାନେଜମେଣ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି ।