ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆସନ୍ତା ୨୨ରୁ ୨୯ ତାରିଖ ଯାଏଁ ପ୍ରାକ୍ଟିକାଲ୍ ରେକର୍ଡ଼ ଦାଖଲ ପାଇଁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ ) ବିଜ୍ଞପ୍ତି ପ୍ରକାଶ କରିଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରତିଦିନ ସକାଳ ୧୦ଟାରେ ଆରମ୍ଭ ହୋଇ ୧ଟା ଯାଏଁ ଚାଲିବ । ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ୍ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଉତ୍ତର ଖାତା ଦିଆଯିବ । ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ଆୟୋଜନ ହେବ । ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ବ୍ୟବସ୍ଥା କରିବା ପାଇଁ ପରିଷଦ ସମସ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛି। ସେହିପରି ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ପାଇଁ ଆବେଦନ କରିଥିବା କଳା , ବାଣିଜ୍ୟ , ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ଲିଖିତ ପରୀକ୍ଷା ଅକ୍ଟୋବର ୧ରୁ ଆରମ୍ଭ ହେବ । ଉଭୟ ରେଗୁଲାର ଓ ଏକ୍ସ – ରେଗୁଲାର ଛାତ୍ରଛାତ୍ରୀ ଅକ୍ଟୋବର ୧ରୁ ୧୧ ତାରିଖ ମଧ୍ୟରେ ପରୀକ୍ଷା ଦେବେ । ପରୀକ୍ଷା ସୂଚୀ ନେଇ ବିଭାଗ ପକ୍ଷରୁ ବୁଧବାର ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ରବିବାରରେ ମଧ୍ୟ ପରୀକ୍ଷା ଦେବା ନେଇ ପରୀକ୍ଷା ସୂଚୀରେ ଉଲ୍ଲେଖ ରହିଛି । ପ୍ରଥମ ଦିନରେ ବିଜ୍ଞାନର ଛାତ୍ରଛାତ୍ରୀ ଫିଜିକ୍ସ ପରୀକ୍ଷା ଦେବାକୁ ଥିବାବେଳେ କଳାରେ ରାଜନୀତି ବିଜ୍ଞାନ , ବାଣିଜ୍ୟରେ ଆକାଉଣ୍ଟାନ୍ତି ଓ ଧନ୍ଦାମୂଳକରେ ମଧ୍ୟ ଛାତ୍ରଛାତ୍ରୀ ବିଭାଗ ଅନୁଯାୟୀ ଉପରୋକ୍ତ ତିନି ବିଷୟରେ ପରୀକ୍ଷା ଦେବେ । ସେହିପରି ଛାତ୍ରଛାତ୍ରୀ ଅକ୍ଟୋବର ୩ , ୪ , ୫ , ୭ , ୮ , ୯ , ୧୦ ଓ ୧୧ ତାରିଖରେ ପରୀକ୍ଷା ଦେବା ପାଇଁ ସ୍ଥିର କରାଯାଇଛି । ୨ ତାରିଖ ରବିବାର ଥିଲେ ମଧ୍ୟ ଛାତ୍ରଛାତ୍ରୀ ଏହି ଦିନରେ ପରୀକ୍ଷା ଦେବେ ସେହିଦିନରେ ବିଜ୍ଞାନର ଛାତ୍ରଛାତ୍ରୀ କେମିଷ୍ଟ୍ରି ପରୀକ୍ଷା ଦେବାକୁ ଥିବାବେଳେ କଳାରେ ଇତିହାସ ଓ ବାଣିଜ୍ୟରେ ଛାତ୍ରଛାତ୍ରୀ ବିଏସ୍ଏମ୍ ବିଷୟରେ ପରୀକ୍ଷା ଦେବେ । ସେହିପରି ୧୦ ତାରିଖ ରବିବାରରେ ମଧ୍ୟ ବିଜ୍ଞାନ ଓ କଳା ବିଭାଗରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ପରୀକ୍ଷା ନିୟନ୍ତ୍ରକ ଡ . ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି ।