ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ପ୍ରକାଶ ପାଇବ + ୨ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ଏହି ତାଲିକାରେ ମନୋନୀତ ହୋଇଥିବା ଆବେଦନକାରୀ ଆସନ୍ତା ୧୪ରୁ ନାମଲେଖାଇବା ଲାଗି ସୁଯୋଗ ପାଇବେ । ଏହି ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଆଗାମୀ ୨୭ ଅପରାହ୍ନରେ ୪ଟାରେ ପ୍ରକାଶ ପାଇବ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା । ଏଥିରେ ମନୋନୀତ ଆବେଦନକାରୀ ଆସନ୍ତା ୨୯ରୁ ଅକ୍ଟୋବର ୧ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନାମ ଲେଖାଇବାକୁ ସୁଯୋଗ ପାଇବେ । ସେହିପରି ୨ଟି ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ଯଦି ସିଟ୍ ଖାଲି ପଡ଼େ ତେବେ ବଳକା ସିଟି ତାଲିକା ଓ ସ୍ପଟ ଆଡମିଶନ ପାଇଁ ମେରିଟ ଲିଷ୍ଟ ଅକ୍ଟୋବର ୪ ତାରିଖ ଦିନ ୨ଟାରେ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ସ୍ପଟ ଆଡମିଶନ ପାଇଁ ଅକ୍ଟୋବର ୪ ଓ ୫ରେ ନାମ ପଞ୍ଜୀକରଣ କରିବେ । ଅକ୍ଟୋବର ୫ରେ ସ୍ପଟ ଆଡମିଶନ ପାଇଁ ମେରିଟ ଲିଷ୍ଟ ପ୍ରକାଶ ପାଇବା ପରେ ମନୋନୀତ ଛାତ୍ରଛାତ୍ରୀମାନେ ଅକ୍ଟୋବର ୭ରେ ନାମ ଲେଖାଇବେ । ଅକ୍ଟୋବର ୮ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡ଼ିଛି । ରାଜ୍ୟରେ ମୋଟ୍ ୨୦୩୫ଟି ଜୁନିୟର କଲେଜ ରହିଛି । ସେଥିରୁ କଳା , ବିଜ୍ଞାନ , ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪ଲକ୍ଷ ୪୩ ହଜାର ୩୫୪ ସିଟ ଥିବା ବେଳେ ଚଳିତବର୍ଷ ରାଜ୍ୟ ସରକାର ୫୪ ହଜାର ୯୦୦ ସିଟ୍ ବୃଦ୍ଧି କରିଛନ୍ତି । ଫଳରେ ମୋଟ୍ ସିଟ୍ ସଂଖ୍ୟା ୪ଲକ୍ଷ ୯୮ ହଜାର ୨୫୪ରେ ପହଞ୍ଚିଛି । ସେଥିରୁ କଳାରେ ୩୮ହଜାର ସିଟ ବୃଦ୍ଧି ହୋଇଥିବା ବେଳେ ବିଜ୍ଞାନରେ ୧୩ ହଜାର ଓ ବାଣିଜ୍ୟରେ ୩ , ୯୦୦ ସିଟ ବୃଦ୍ଧି କରାଯାଇଛି । ଚଳିତବର୍ଷ ମୋଟ୍ ୪ଲକ୍ଷ ୭୧ହଜାର ୬୧୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ଜଣାପଡ଼ିଛି ।