ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବଙ୍ଗୋପସାଗର କେନ୍ଦ୍ରୀୟ ସ୍ଥଳରୁ ବାୟୁମଣ୍ଡଳ ଦେଇ ଲମ୍ବିଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଶନିବାର ଏହା ଲଘୁଚାପ ରୂପ ନେବା ସହ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ । ଫଳରେ ଓଡ଼ିଶାର ଏକାଧିକ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା ରହିଛି । ଶନିବାର ଉତ୍ତର ତଥା କେନ୍ଦ୍ରୀୟ ଉପକୂଳବର୍ତ୍ତୀ ୭ ଜିଲ୍ଲାରେ ବର୍ଷା ନେଇ ସତର୍କତା ଜାରି କରାଯାଇଥିବା ବେଳେ ରବିବାର ଓ ସୋମବାର ରାଜ୍ୟରେ ବାଦଲ ଫଟା ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପ୍ରକାଶ କରିଛି । ଶନିବାର ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବା ପରେ ପରବର୍ତ୍ତୀଗତି କରିବ। ଲଘୁଚାପ ୪୮ ଘଣ୍ଟା ଯାଏଁ ତା’ର ପ୍ରଭାବ ଅଧିକ ରହିବ । ୧୨ ତାରିଖ ଦିନ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିବା ସମ୍ଭାବନା ରହିଛି । ଏନେଇ ପୁରୀ , ଖୋର୍ଦ୍ଧା , ଜଗତସିଂହପୁର , କେନ୍ଦ୍ରାପଡ଼ା , କଟକ , ଗଞ୍ଜାମ , ନୟାଗଡ଼ , ଭଦ୍ରକ ଓ ଯାଜପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଏହାଛଡ଼ା ଏହିଦିନ ଦକ୍ଷିଣ ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୩ ତାରିଖରେ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି , ଆସନ୍ତା ୧୫ ତାରିଖ ଯାଏ ଭାରୀ ବର୍ଷା ସମ୍ଭାବନା ରହିଛି ।