ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଏମ୍ବିବିଏସ୍ ଓ ବିଡିଏସ୍ ପଢ଼ିବା ପାଇଁ ଅନୁଷ୍ଠିତ ହେଉଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ । ଲିଖିତ ପରୀକ୍ଷା ଦିନ ୨ଟାରୁ ଆରମ୍ଭ ହୋଇ ୫ଟାରେ ସରିବ । ଉଭୟ ଦେଶ ଓ ବିଦେଶର ୨୦୨ଟି ସହରରେ କେନ୍ଦ୍ର ହେବ । ତେବେ ଗତ ୬ ତାରିଖରୁ ଜାରି ହୋଇଥିବା ଆଡମିଟ୍ କାର୍ଡରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଜାରି ହୋଇଥିବା ଆଡମିଟ୍ କାର୍ଡର ଦ୍ବିତୀୟ ପୃଷ୍ଠାରେ ପୋଷ୍ଟ କାର୍ଡ ସାଇଜର ଫଟୋଗ୍ରାଫ୍ ଦେବାକୁ କୁହାଯାଇଥିଲା । ମାତ୍ର ବହୁ ଛାତ୍ରଛାତ୍ରୀଙ୍କ ଏନେଇ ଅଭିଯୋଗ ପରେ ପରିବର୍ତ୍ତନ କରାଯାଇଛି । ତେଣୁ ଛାତ୍ରଛାତ୍ରୀମାନେ ପୁଣି ଥରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ପରୀକ୍ଷା ପରିଚାଳନା କରୁଥିବା ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ ର ବରିଷ୍ଠ ପରୀକ୍ଷା ନିର୍ଦ୍ଦେଶକ ଡ . ସାଧନା ପରାସର ପରାମର୍ଶ ଦେଇଛନ୍ତି । ସେହିପରି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପରୀକ୍ଷା ପର୍ଯ୍ୟନ୍ତ ପ୍ରତିଦିନ ଏନଟିଏର ୱେବସାଇଟ୍ ଚେକ୍ କରିବାକୁ ଡ . ପରାସର କହିଛନ୍ତି । ଛାତ୍ରଛାତ୍ରୀଙ୍କର ଆଡମିଟ୍ ଡାଉନଲୋଡ୍ ହେବାରେ କୌଣସି ଅସୁବିଧା ଦେଖା ଦେଲେ ୦୧୧ – ୪୦୭୫୯୦୦୦ରେ ଯୋଗାଯୋଗ କରିବାକୁ କୁହାଯାଇଛି । ଅପରପକ୍ଷେ , ଓଡ଼ିଶାର ୧୬ଟି ସହରରେ ନିଟ୍ ଅନୁଷ୍ଠିତ ହେବ । ଅନୁଗୁଳ , ବାଲେଶ୍ବର , ବ୍ରହ୍ମପୁର , ଭୁବନେଶ୍ୱର , କଟକ , ରାଉରକେଲା , ସମ୍ବଲପୁର , ବଲାଙ୍ଗୀର , ଭବାନିପାଟଣା , କେନ୍ଦୁଝର , କୋରାପୁଟ , ମାଲକାନଗିରି , ପାରଳାଖେମୁଣ୍ଡି , ଫୁଲବାଣୀ , ରାୟଗଡ଼ା ଓ ପୁରୀ ସହରରେ ନିଟ୍ ପରୀକ୍ଷା କେନ୍ଦ୍ର ଅନୁଷ୍ଠିତ ହେବ ବୋଲି ଏନଟିଏ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।