ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଭୁବନେଶ୍ବରରେ ଆସନ୍ତା ୧୧ ତାରିଖରେ ଉତ୍ତର ତଥା ତତ୍ସଙ୍ଗଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଅଛି । ଓଡ଼ିଶା ପାଇଁ ଏହା ସପ୍ତମ ଲଘୁଚାପ ହୋଇଥିବାବେଳେ ଆଗାମୀ ଲଘୁଚାପ ପ୍ରଭାବରେ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ବାସ କହିଛନ୍ତି । ଆସନ୍ତାକାଲି ଅର୍ଥାତ୍ ୧୦ ତାରିଖ ଦିନ ଏକ ଘୁର୍ଣିବଳୟ ସୃଷ୍ଟି ହେବ । ଯାହାକି ୧୧ ତାରିଖ ବେଳକୁ ଘନିଭୂତ ହେବ । ୧୩ ରାତି ବା ୧୪ ସକାଳେ ଏହା ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳ ହୋଇ ପଶ୍ଚିମକୁ ଗତି କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ । ୧୩ ଓ ୧୪ ତାରିଖ ବେଳକୁ ଏହା କ୍ରମଶଃ ପଶ୍ଚିମ ଆଡ଼କୁ ଗତି କରିବା ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଭାରୀ ବର୍ଷା ହୋଇପାରେ ବୋଲି ବିଶେଷଜ୍ଞ ଶ୍ରୀ ବିଶ୍ବାସ କହିଛନ୍ତି । ଥାଇଲାଣ୍ଡ ନିକଟରେ ସୃଷ୍ଟି ହୋଇଥିବା ଏକ ସାଇକ୍ରୋନିକ ସର୍କୁଲେସନ୍ ପଶ୍ଚିମ ମୁହାଁ ହୋଇଥିବାବେଳେ ଏହାର ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ଘନୀଭୂତ ହେବ । ଏଥିପାଇଁ ଶନିବାର ସୁଦ୍ଧା ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଏବେ ଏହା ସମୁଦ୍ର ପତନର ଉପରେ ରହିଥିବାବେଳେ ଉପକୂଳଠାରୁ ଯଥେଷ୍ଟ ଦୂରରେ ରହିଛି । ୧୧ ତାରିଖରେ ଲଘୁଚାପର ରୂପ ନେବା ପରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନିଭୂତ ହେବା ସମ୍ଭାବନା ରହିଛି । ଫଳରେ ରାଜ୍ୟରେ ଆସନ୍ତା ୧୪ ତାରିଖ ଯାଏ ଭାରୀ ବର୍ଷା ସମ୍ଭାବନା ରହିଛି ।