ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଭଗବାନ ଗଣେଶଙ୍କର ଶରୀର ମନୁଷ୍ୟ ଓ ମସ୍ତକ ହାତୀ, ଏହା ପ୍ରକୃତରେ ପଶୁ ଓ ମନୁଷ୍ୟର ମିଳନର ଏକ ସମୃଦ୍ଧ ପ୍ରତୀକ। ତେଣୁ ବିଜୁ ପଟ୍ଟାନାୟକ ଫରେଷ୍ଟପାର୍କରେ ବିଡିଏ ଏବଂ ବକୁଳ ଫାଉଣ୍ଡେସନର ସ୍ବେଚ୍ଛାସେବୀ ମାନେ ପୂରାକାଳରୁ ଚଳି ଆସୁଥିବା ବୃକ୍ଷ ପୂଜା ଦ୍ବାରା ପ୍ରେରିତ ହୋଇ ଗଛକୁ ଗଣେଶ ରୂପେ ଆଜି ପୂଜା କରୁଅଛନ୍ତି। ବର୍ତ୍ତମାନର କୋଭିଡ ପରିସ୍ଥିତିରେ ଅମ୍ଳଜାନର ଆବଶ୍ୟକତାକୁ ଅନୁଭବ କରି ଗଛର ମହତ୍ତ୍ବକୁ ବୁଝି ହେଉଛି। ଚଳିତ ବର୍ଷ ବକୁଳ ଫାଉଣ୍ଡେସନର ସ୍ବେଚ୍ଛାସେବୀ ମାନେ ଅଦରକାରୀ ଜିନିଷର ଦ୍ବାରା ଗଛକୁ ଗଣେଶ ରୂପରେ ସଜାଇ ପୂଜା କରୁଛନ୍ତି। ଫରେଷ୍ଟପାର୍କର ପାଠାଗାର ନିକଟରେ ଥିବା ଗଛକୁ ଏଥର ଗଣେଶଙ୍କ ରୂପଦେଇ ପୂଜା କରାଯାଉଛି। ସବୁ ଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେଉଁମାନେ ଏଠାକୁ ପୂଜା କରିବାକୁ ଆସୁଛନ୍ତି ସେମାନଙ୍କୁ ପ୍ରସାଦରେ ଗଛର ଚାରା ଦିଆଯାଉଛି।
ବକୁଳ ଫାଉଣ୍ଡେସନର ସ୍ବେଚ୍ଛାସେବୀ ବିଶାଳ ମହାନ୍ତି ଏଥର ପୂଜାର ଦାଇତ୍ବ ନେଇଥିଲେ। ତାଙ୍କର କହିବା ଅନୁସାରେ ସବୁ ବର୍ଷ ଗଛକୁ ପୂଜା କରାଯାଏ, କିନ୍ତୁ ଏଥର ଆମେ କିଛି ଅଲଗା କରିବାକୁ ପ୍ରୟାସ କରିଥିଲୁ । ଏବଂ ଏହାର ଫଳାଫଳରେ ଆମେ ବହୁତ ଖୁସି ଅଛୁ। ବିଡିଏର ଭାଇ୍ସଚେୟାରମ୍ୟାନ ସଞ୍ଜୟକୁମାର ସିଂ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରୁଥିଲେ। ସେ ସମସ୍ତ ସ୍ବେଚ୍ଛାସେବୀ ମାନଙ୍କୁ ସାର୍ଟିଫିକେଟ ଦେବାକୁ ମଧ୍ୟ କହିଛନ୍ତି। ବକୁଳ ଫାଉଣ୍ଡେସନ୨୦୦୯ ମସିହାରୁ ବୃକ୍ଷରୋପଣ ପାଇଁ ସାଂସ୍କୃତିକ ଉପାୟ ଅବଲମ୍ବନ କରିଛି। ଯେଉଁଥିରେ ବୃକ୍ଷ ସହ ମଣିଷ ନିଜସ୍ବ ଭାବରେ ଜୋଡି ହୋଇ ରହିବେ। ଯାହାଦ୍ବାରା ଲୋକେ ଗଛକୁ ପୂଜା କରିବା ସହ ସ୍ନେହ ଏବଂ ଆଦର ମଧ୍ୟ କରିବେ। ଏହାସହ ଲୋକ ମାନେ ଅଧିକରୁ ଅଧିକ ଗଛ ଲଗାଇବେ ଏବଂ ତାହାର ଯତ୍ନ ନେବେ।