ସନଷ୍ଟାର ଟିଭି ବ୍ୟୁରୋ
ଜଳେଶ୍ୱର : ଈଶ୍ବରଙ୍କ ବିଚିତ୍ର ନୀତି। କିଏ କେତେ ବେଳେ ହାତ ଛାଡି ଚାଲି ଯିବେ ତାହା କାହାକୁ ଜଣା ନାହିଁ। ଗାଁ ଠୁ ସହର ସବୁଠି ହାହାକାର ସହ ଛାତିଫଟା ଚିତ୍କାର ଚାରିଆଡେ ଗୁଞ୍ଜୁ ଅଛି। କର୍କଟ ଭଳି ଏକ ଦୁରାରୋଗ୍ୟର କବଳରେ ବିପର୍ଯ୍ୟୟର ସାମ୍ନା କରୁଛି ଏହି ସଭ୍ୟସମାଜ। ଏଭଳି ଏକ ସମୟରେ କର୍କଟ ରୋଗରେ ପୀଡିତ ହୋଇ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ପାଇ ନପାରି ଆଗପଛ ହୋଇ ଚାଲିଗଲେ ବାପା ବୋଉ। ଅନାଥ ହୋଇଗଲା ବାପାମାଆ ଛେଉଣ୍ଡ ୧୨ ବର୍ଷର ଏକମାତ୍ର ଝିଅ। ୮୦ବର୍ଷର ବୃଦ୍ଧ ଅଜା ଆଈଙ୍କ କାନ୍ଧରେ ପଡିଛି ଅନାଥ ନାତୁଣୀର ବୋଝ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି-୧ ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ତବ୍ଧ ହୋଇଯାଇଛି ସମଗ୍ର ଅଞ୍ଚଳ।
ସୂଚନା ମୁତାବକ ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି-୧ ପଞ୍ଚାୟତ ମନୁନଗର ଗ୍ରାମର ଭଜହରି ପାତ୍ର (୩୫) କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲା ବେଳେ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ନପାଇ ଗତ ୨୦୧୬ ମସିହାରେ ମୃତ୍ୟୁବରଣ କରିଥିଲେ। ଭଜହରିଙ୍କ ଜମିବାଡି କିମ୍ବା ପରିବାର ପ୍ରତିପୋଷଣ ପାଇଁ ଆବଶ୍ୟକ ରୋଜଗାରର ଅନ୍ୟ କିଛି ପନ୍ଥା ନଥିବାରୁ ତାଙ୍କ ବିଧବା ପତ୍ନୀ ଅମିତା (୩୦) ଏକମାତ୍ର ଛୋଟ ଝିଅ ଲିଜା ପ୍ରିୟଦର୍ଶିନୀକୁ ନେଇ ସବୁଦିନ ପାଇଁ ସେହି ପଞ୍ଚାୟତ ଅନ୍ତର୍ଗତ ଆରୁହାବୃତ୍ତି-୧ ଗାଁରେ ଥିବା ବାପ ଘରକୁ ଚାଲି ଆସିଥିଲେ। ସେହିଦିନ ଠାରୁ ସେମାନେ ଅମିତାଙ୍କ ଅଶୀତିପର ବୃଦ୍ଧ ବାପା ଗୌରାଙ୍ଗ ଗିରି ଓ ଆଈ ବାସନ୍ତୀଙ୍କ ଆଶ୍ରୟରେ ରହିଥିଲେ। ହେଲେ ବିଧିର ବିଧାନ ବଡ ବିଚିତ୍ର। ଛଅ ମାସ ପୂର୍ବେ ଅମିତାର ପେଟରେ ପ୍ରବଳ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଡାକ୍ତରଙ୍କ ଠାରେ ଚିକିତ୍ସା ହୋଇଥିଲେ। ହେଲେ ସେଥିରେ କୌଣସି ସୁଫଳ ମିଳି ନଥିଲା। ପରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲା ବେଳେ ତାଙ୍କ ପାକସ୍ଥଳୀରେ କର୍କଟ ରୋଗ ହୋଇଥିବା ଚିହ୍ନଟ ହୋଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ବେଳେ ୧୫ ଦିନ ପୂର୍ବରୁ ଡାକ୍ତରଖାନ କର୍ତ୍ତୁପକ୍ଷ ତାଙ୍କୁ ଡିସଚାର୍ଜ କରି ଘରକୁ ପଠାଇ ଦେଇଥିଲେ। ଅର୍ଥାଭାବରୁ ଉନ୍ନତ ଚିକିତ୍ସା ପାଇବା ତାଙ୍କ ପକ୍ଷେ ସମ୍ଭବ ହୋଇ ନଥିଲା। ସୋମବାର ରାତି ୨ ଟା ୧୫ ମିନିଟ ସମୟରେ ସେ ନିଜ ଏକମାତ୍ର ଝିଅ ଲିଜା ପ୍ରିୟଦର୍ଶିନୀ (୧୨)କୁ ଅନାଥ କରି ଆରପାରିକୁ ଚାଲିଗଲେ। ଅନ୍ୟପକ୍ଷରେ ସେମାନଙ୍କ ଏତେ ଛୋଟ ଝିଅକୁ କେମିତି ଲାଳନ ପାଳନ କରିବେ ତାହାକୁ ନେଇ ୮୦ବର୍ଷର ବୃଦ୍ଧ ଅଜା ଆଈ ଏବେ ବିବ୍ରତ ହୋଇପଡିଛନ୍ତି। ଅମିତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଛି। ସୁବର୍ଣ୍ଣରେଖା ନଦୀ କୂଳରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ବେଳେ ନାବାଳିକା ଝିଅ ଲିଜା ପ୍ରିୟଦର୍ଶିନୀ ମୁଖାଗ୍ନୀ ଦେଇଥିଲେ। ବେଳେ ଶୋକସନ୍ତପ୍ତ ଅନାଥ ଝିଅ ଲିଜା ପ୍ରତି ସମବେଦନା ଜଣାଇବା ସହିତ ତାଙ୍କ ଭବିଷ୍ୟତ ପାଇଁସରକାରୀ ଓ ବେସରକାରୀ ସ୍ତରରେ ସହାୟତାର ହାତ ବଢାଇବା ଯଦି କୌଣସି ସହୁଦୟ ବ୍ଯକ୍ତି ସହାୟତା କରିବା ପାଇଁ ନିବେଦନ କରିଛନ୍ତି।