ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷା ନିଟ୍ ( ୟୁଜି ) କୁ ସ୍ଥଗିତ ରଖିବା ଲାଗି ହୋଇଥିବା ଏକ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଦେଇଛନ୍ତି । ସେପ୍ଟେମ୍ବର ୧୨ ତାରିଖରେ ନିଟ୍ ( ୟୁଜି) ପରୀକ୍ଷା ହେବାକୁ ଥିବାବେଳେ ଏହାକୁ ସ୍ଥଗିତ ରଖିବା ଲାଗି କେତେକ ଛାତ୍ର ଆବେଦନ କରିଥିଲେ । ନିଟ୍ ସମୟରେ ଅନ୍ୟ ପ୍ରବେଶିକା ପରୀକ୍ଷା ହେଉଥିବା କାରଣରୁ ଏହାକୁ ସ୍ଥଗିତ ରଖିବାକୁ ଆବେଦନରେ ଦର୍ଶାଯାଇଥିଲା । ତେବେ ଅଦାଲତ ନିଟଙ୍କୁ ସ୍ଥଗିତ ରଖି ପୁନର୍ବାର ଏହାକୁ କରାଇବା ଲାଗି ସମୟ ଧାର୍ଯ୍ୟ କରିବାକୁ ଅନୁଚିତ୍ ମନେ କରିବା ପୂର୍ବକ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି । ଦେଶର ୧୬ଲକ୍ଷ ଛାତ୍ରଛାତ୍ରୀ ନିଟ୍ ଦେବାକୁ ଥିବାବେଳେ କିଛି ପିଲାଙ୍କ ଆବେଦନ ଆଧାରରେ ଏହାକୁ ସ୍ଥଗିତ ରଖାଯାଇପାରିବ ନାହିଁ ବୋଲି ବିଚାରପତି ଏଏମ୍ ଖାନୱିଲକରଙ୍କ ନେତୃତ୍ବ ପୀଠ କହିଛନ୍ତି । ଯଦି କୌଣସି ପିଲାକୁ ଗୋଟିଏ ଦିନରେ ଏକାଧିକ ପରୀକ୍ଷା ଦେବାକୁ ଅଛି ତେବେ ସେ ପ୍ରାଥମିକତା ଭିତ୍ତିରେ ନିଜର ପରୀକ୍ଷା ଦେବା ଦରକାର।