ସନଷ୍ଟାର ଟିଭି ବ୍ୟୁରୋ
କୋରଳ: ରବିବାର ସକାଳେ ଉତ୍ତର କେରଳର କୋଜିକୋଡେ ରେ ନିପା ଭାଇରସରେ ଜଣେ ୧୨ ବର୍ଷର ବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ମାରାତ୍ମକ ଜୀବାଣୁ ବିସ୍ତାର ହେବାର ଆଶଙ୍କା ସୃଷ୍ଟି ହୋଇଛି। କେଳର ସ୍ୱାସ୍ଥ୍ୟମନ୍ତ୍ରୀ ଭେନା ଜର୍ଜ କହିଛନ୍ତି ଯେ ପୁଣେ ରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ଦ୍ୱାରା ନିପା ଭାଇରସ୍ ପାଇଁ ବାଳକର ସମସ୍ତ ତିନୋଟି ନମୁନା ସକରାତ୍ମକ ବୋଲି ଜଣାପଡିଛି।
ମନ୍ତ୍ରୀ କହିଛନ୍ତି ଯେ ବାଳକଟି କିଛି ଦିନ ପୂର୍ବରୁ ଉଚ୍ଚ ଜ୍ୱରରେ ଆକ୍ରାନ୍ତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପ୍ରଥମେ ସେ ମସ୍ତିଷ୍କ ଜ୍ୱରରେ ପୀଡିତ ଥିବା ସନ୍ଦେହ କରାଯାଉଥିଲା କିନ୍ତୁ ପରବର୍ତ୍ତୀ ନମୁନା ପାଇଁ NIV କୁ ନିଆଯାଇଥିଲା। ସେ କହିଛନ୍ତି ଯେ ବାଳକର ସମସ୍ତ ସମ୍ପର୍କୀୟ ଏବଂ ତାଙ୍କ ଚିକିତ୍ସାରେ ଜଡିତ ଥିବା ସମସ୍ତଙ୍କୁ କ୍ୟାରେନଣ୍ଟାଇନରେ ରଖାଯାଇଛି। ଅଧିକାରୀମାନେ ବାଳକ ମାମଲା ସହ ଜଡିତ ମୋଟ ୩୦ ଜଣଙ୍କୁ ନଜରରେ ରଖି ପରୀକ୍ଷା ପାଇଁ ୧୭ ଟି ନମୁନା ପଠାଇଛନ୍ତି। ପୂର୍ବପରି ବ୍ୟାଟ୍ସ ମାନଙ୍କ ଦ୍ବାରା ଏହି ଜୀବାଣୁ ବିସ୍ତାର ହୋଇଥିବାର ସନ୍ଦେହ କରାଯାଉଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।
ଏହାସହ ଭୟଭୀତ ହେବାର କିଛି ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଖବର ରହିଛି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଗୋଟିଏ ଦଳକୁ କୋଜିକୋଡେ ନେଇଛନ୍ତି। ସୂଚନାମୁତାବକ ବାଳକଟି ସକାଳ ୫ ଟାରେ ମୃତ୍ୟୁ ବରଣ କରିଛି ଏବଂ ତାଙ୍କ ଶବଦାହ ସକାଳ ୧୦ ଟାରେ ପ୍ରୋଟୋକଲ ଅନୁଯାୟୀ କରାଯିବ। ସତର୍କତା ଅବଲମ୍ବନ କରି କୋଜିକୋଡେ ଜିଲ୍ଲାର ମାଭୋର ପଞ୍ଚାୟତ ଅଞ୍ଚଳକୁ ସିଲ୍ କରାଯାଇଛି। ୨୦୧୮ରେ, ଏହି ମାରାତ୍ମକ ଜୀବାଣୁ କୋଜିକୋଡେରେ ୧୭ ଜଣଙ୍କ ର ମୃତ୍ୟୁ ଘଟିଥିଲା ବୋଲି ସୂଚନା ରହିଛି।