ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ବହୁଚର୍ଚ୍ଚିତ ପାରଳା ଜେରା ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ମଧ୍ୟ ବେଳେ ଏହି ଘଟଣାରେ ୧୪ ଜଣ ସାକ୍ଷୀଙ୍କୁ ଜେରା କରିସାରିଛି କ୍ରାଇମବ୍ରାଞ୍ଚ ଟିମ । ଘଟଣାରେ ପାରଳାଖେମୁଣ୍ଡିରେ ଏହି ଟିମ ସାକ୍ଷୀଙ୍କୁ ଜେରା କରିବା ସହ ସେମାନଙ୍କ ବୟାନ ରେକର୍ଡ କରିଛି । ଗଜପତି ପୁଲିସର ପ୍ରଶ୍ବାବଳୀ ତଦନ୍ତ ରିପୋର୍ଟ , ବିଭିନ୍ନ ତଥ୍ୟକୁ ମଧ୍ୟ ଟିମ ତର୍ଜମା କରୁଛି । ଆଜି ଏସିଏଫଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ ଟିମ ଜେରା କରିବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ସେ କହିଛନ୍ତି ଯେ ବିଦ୍ୟାଭାରତୀଙ୍କ ନାମରେ ଏହି ଘଟଣାରେ ଅଭିଯୋଗ ପୂର୍ବକ ଏତଲା ରୁଜୁ ହୋଇଛି । ତାଙ୍କୁ ଜେରା କରାଯିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରଦ୍ଧାବଳୀ ମଧ୍ୟ ପ୍ରସ୍ତୁତ ହୋଇସାରିଛି । କ୍ରାଇମବ୍ରାଞ୍ଚ ଟିମ ବିଦ୍ୟାଭାରତୀଙ୍କୁ ଏହି ସନ୍ଦେହଜନକ ଘଟଣା ସମ୍ପର୍କରେ ଘନ ଘନ ଜେରା କରିବ । ଏଥିପାଇଁ କ୍ରାଇମ ଏଗେନଷ୍ଟ ଓମେନ ୱିଙ୍ଗର ଦୁଇଜଣ ମହିଳା ଅଧିକାରୀ ମଧ୍ୟ ଜେରା ସମୟରେ ଉପସ୍ଥିତ ରହିବେ ବୋଲି ଏଡିଜି କହିଛନ୍ତି । ସେହିପରି ଏହି ଘଟଣାରେ ଅଭିଯୋଗକାରୀ ତଥା ମୃତ ଏସିଏଫଙ୍କ ପିତାମାତା ଓ ଅନ୍ୟମାନଙ୍କ ବୟାନ ବୁଧବାର ରେକର୍ଡ କରିବ କ୍ରାଇମବ୍ରାଞ୍ଚ ଟିମ୍ ।
ସୂଚନାଯୋଗ୍ୟ ଯେ , ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ଏକମାସରୁ ଅଧିକ ଦିନ ବିତିଗଲାଣି। କିନ୍ତୁ ଏବେ ଯାଏଁ ମୃତ୍ୟୁ ପଛର ରହସ୍ୟକୁ ଉନ୍ମୋଚନ ହୋଇପାରିନାହିଁ । ମାମଲାର ତଦନ୍ତ ଭାର ପ୍ରଥମେ ଗଜପତି ପୋଲିସ ଆଉ ପରେ କ୍ରାଇମ୍ବ୍ରାଞ୍ଚକୁ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି । ଗତ ୧୪ ତାରିଖ ଠାରୁ ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଜାରି ରଖୁଛି । କ୍ରାଇମବ୍ରାଞ୍ଚର ଏକ ତିନିଜଣିଆ ଟିମ ଜଣେ ଡିଏସପିଙ୍କ ନେତୃତ୍ବରେ ପାରଳା ଯାଇ ତଦନ୍ତ ଆରମ୍ଭ କରୁଛି । ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ଏହି ଟିମଗଠନ କରାଯାଇଛି । ଏହାକୁ ହତ୍ୟା ମାମଲା ଆଧାରରେ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।