ସନଷ୍ଟାର ଟିଭି ବ୍ୟୁରୋ

କଟକ: ଦୁଇ ଓଡ଼ିଆ ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କ ପାଇଁ ଓଡିଶା ଅଲମ୍ପିକ ସଂଘ (ଓଓଏ) ତରଫରୁ ପୁରସ୍କାର ରାଶି ଘୋଷଣା କରାଯାଇଛି। ଉଭୟ ଖେଳାଳିଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ପୁରସ୍କାର ଦିଆଯିବ । ଭାରତୀୟ ମହିଳା ହକି ଟିମ ଅଲମ୍ପିକ ଇତିହାସରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚିଥିଲା। ତେବେ ସେମିରେ ପରାସ୍ତ ପରେ ଗ୍ରେଟ ବ୍ରିଟେନ ବିପକ୍ଷ ବ୍ରୋଞ୍ଜ ପଦକ ମ୍ୟାଚରେ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ବିଜୟରୁ ବଞ୍ଚିତ ହୋଇଛି। କଡା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ୪-୩ ଗୋଲ୍ରେ ବିଜୟୀ ହେବା ସହ ରାନୀ ରାମପାଲଙ୍କ ଟିମ ହାତରୁ ବ୍ରିଟେନ ବ୍ରୋଞ୍ଜ ପଦକ ଛଡାଇ ନେଇଛି। ଅଲମ୍ପିକ ମହିଳା ହକି ଟିମରେ ଦୁଇ ଓଡିଆ ଖେଳାଳି ଅଭିଜ୍ଞ ଡିଫେଣ୍ଡର ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ଚମତ୍କାର ପ୍ରଦର୍ଶନ କରିଥିଲେ।
ବ୍ରୋଞ୍ଜ ପଦକ ହାସଲ କରିପାରିନଥିଲେ ମଧ୍ୟ ଭାରତୀୟ ମହିଳା ହକି ଟିମର ଲଢୁଆ ପ୍ରଦର୍ଶନ ଦେଶବାସୀଙ୍କ ହୃଦୟ ଜିତିପାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଲଢୁଆ ଖେଳ ପ୍ରଦର୍ଶନ ପାଇଁ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।