ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ଏବେ ଘାରୁଛି ଡେଙ୍ଗୁ ଭୟ । ବଢ଼ିବାରେ ଲାଗିଲାଣି ଡେଙ୍ଗୁର ଆତଙ୍କ। ଭୁବନେଶ୍ୱରରୁ ପ୍ରତିଦିନ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ମୋଟ ରୋଗୀ ସଂଖ୍ୟା ୪୫୩କୁ ବୃଦ୍ଧି ହୋଇଛି । ଏହାରି ମଧ୍ୟରେ ରାଜଧାନୀରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ହେଲେ ବର୍ତ୍ତମାନ ସୁଦ୍ଧା ଏହାର ସତ୍ୟାସତ ପ୍ରମାଣିତ ହୋଇନି।
ଅନ୍ୟପଟେ ସ୍ଥିତି ଅଣାୟତ ହେବା ପରେ ନିଦ ଭାଙ୍ଗିଥିବା ବେଳେ ବିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ ଗଠନ କରାଯାଇଛି। ଏହି ଟିମ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲିବା ସହିତ ଡେଙ୍ଗୁ ସର୍ବେକ୍ଷଣ ଜାରି ରଖିଛନ୍ତି। ଏହି ଟିମ୍ ମୋଟରେ ୫ହଜାରରୁ ଉର୍ଦ୍ଧ୍ୱ ପରିବାରକୁ ଭେଟି ଡେଙ୍ଗୁ ସମ୍ପର୍କରେ ଆଲୋଚନା କରିଛନ୍ତି। ଘରେ ଘରେ ବୁଲି ଡେଙ୍ଗୁ ସମ୍ପର୍କରେ ଅବଗତ କରାଉଛନ୍ତି। ସେହିପରି ରାଜଧାନୀରୁ ମୋଟ ୫୦୧ ମଶା ବଂଶ ଚିହ୍ନଟ କରାଯାଇଥିବା ବେଳେ ୧୨୫୬ଟି ସ୍ଥାନରେ ମଶା ବଢୁଥିବା ଉତ୍ସକୁ ନଷ୍ଟ କରାଯାଇଛି । ଏବଂ ମଶାଧୂଆଁ ଗାଡି ମଧ୍ୟବୁଲା ଯାଉଛି।
ଅନ୍ୟପଟେ ଡେଙ୍ଗୁ ନେଇ ଗୋଷ୍ଠୀ ସ୍ତରରେ ଲୋକମାନଙ୍କୁ ସଚେତନତା କରିବାକୁ ସ୍ୱେଛାସେବୀ ମାନଙ୍କୁ ନିଯୁକ୍ତି କରିବାକୁ ସ୍ୱାସ୍ଥ୍ୟ ବିଭାଗ ବିଚାର କରୁଥିବା ବେଳେ ଏହି ଟିମ ଡେଙ୍ଗୁ ବିପକ୍ଷରେ ମୁକାବିଲା କରିବେ ବୋଲି ଜଣାପଡିଛି। ଅନ୍ୟପଟେ ଡେଙ୍ଗୁ ମୁକାବିଲା କରିବାରେ ବିଏମସି ଫେଲ ମାରିଛି । ସ୍ଥିତି ବର୍ତ୍ତମାନ ବଢ଼ିବାରେ ଲାଗିଛି। ସେଥିପାଇଁ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ଓ୍ୱାର୍ଡ ଖୋଲିବାକୁ ଭୁବନେଶ୍ୱର ବିଜେପି ପକ୍ଷରୁ ଦାବି ମଧ୍ୟ କରାଯାଇଛି।