ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଶିଶୁକନ୍ୟା ପରୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିଧାନସଭାରେ ହଙ୍ଗାମା ହେଲାପରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଓଡିଶାର ଉଚ୍ଚଶିକ୍ଷା ଓ କୃଷିମନ୍ତ୍ରୀ ଅରୁଣ ସାହୁ । ଆଜି ବିଧାନସଭାରେ ମନ୍ତ୍ରୀ ଅରୁଣ ବିବୃତି ରଖି କହିଛନ୍ତି,ଛୋଟ ଝିଅ ପରୀ ମୃତ୍ୟୁ ଘଟଣା ଏକ ସମ୍ବେଦନଶୀଳ ଘଟଣା ଯାହା ମୋତେ ମଧ୍ୟ ମର୍ମାହତ କରିଛି। ତାଙ୍କ ପରିବାରକୁ ନ୍ୟାୟ ମିଳୁ । ମୁଁ ହିଂସାର ଘୋର ବିରୋଧୀ । କ୍ରାଇମବ୍ରାଞ୍ଚ ଉପରେ ମୋର ପୂରା ବିଶ୍ୱାସ ରହିଛି ଓ ରାଜ୍ୟ ସରକାର ଯେଉଁ କ୍ରାଇମ୍ବାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି ମୁଁ ତାକୁ ସ୍ଵାଗତ କରୁଛି । ଏଥିରେ ଯିଏ ବି ଜଡିତ ସେ ଦଣ୍ଡ ପାଇବା ଉଚିତ । କ୍ରାଇମବ୍ରାଞ୍ଚ ତଦନ୍ତ କରି ପରୀ ପରିବାରକୁ ଉପଯୁକ୍ତ ନ୍ୟାୟ ଦେବ । ତେଣୁ ଏହି ପ୍ରସଙ୍ଗକୁ ନେଇ ଅଯଥା ରାଜନୀତି କରାନଯାଉ । ପରୀ ନ୍ୟାୟ ପାଉ, ସତ୍ୟର ଉନ୍ମୋଚନ ହେଉ ବୋଲି ଗୃହରେ ବିବୃତି ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।
ତେବେ ନୟାଗଡର ନାବାଳିକା ପରୀ ମୃତ୍ୟୁ ମାମଲାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିଧାନସଭା ଆଗରେ ପରୀର ବାପାମାଆ ଆତ୍ମାହୂତି ପାଇଁ ଉଦ୍ୟମ କରିବା ପରେ ସାରା ରାଜ୍ୟରେ ଏହି ଘଟଣାଟି ପୁନର୍ବାର ଚହଳ ସୃଷ୍ଟି କରିଥିଲା । ସବୁଠି ପରୀକୁ ନ୍ୟାୟ ଦେବାକୁ ଦାବି ଉଠିଥିଲା । ଆଉ ମନ୍ତ୍ରୀ ଅରୁଣ ସାହୁଙ୍କୁ ଟାର୍ଗେଟ କରି ବିଧାନସଭାରେ କମ୍ପିଥିଲେ ବିରୋଧୀ ।