ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହେଉଛି ଓଡ଼ିଶା ।ପ୍ରତିବର୍ଷ ବନ୍ୟା, ବାତ୍ୟା ଲାଗିରହିଥାଏ ଓଡିଶାରେ । କିନ୍ତୁ ଏହାର ପ୍ରାକ୍ ସୂଚନା ମିଳିପାରୁଥିବାରୁ ରାଜ୍ୟ ସରକାର ସଠିକ୍ ଭାବରେ ଏହାର ପରିଚାଳନା କରି ପାରନ୍ତି ।କିନ୍ତୁ ସରକାରଙ୍କ ପାଇଁ ଅଧିକ ଚିନ୍ତାର କାରଣ ସାଜିଛି ବଜ୍ରପାତ । ବଜ୍ରପାତ ଯୋଗୁଁ ଗତ ୧୦ ବର୍ଷରେ ରାଜ୍ୟରେ ୩୩୭୭ ଜୀବନ ଯାଇଛି ।
ତେବେ ବଜ୍ରପାତ ନେଇ ପାଣିପାଗ ବିଭାଗ ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବଜ୍ରପାତ ସମ୍ପର୍କରେ ଆଗୁଆ ପୂର୍ବାନୁମାନ ଜାରି ହେଉଛି । ପୂର୍ବାପେକ୍ଷା ପୂର୍ବାନୁମାନରେ ଅନେକ ସୁଧାର ଆସିଛି । ଅତ୍ୟାଧୁନିକ ମଡେଲ୍ ଓ ଜ୍ଞାନ କୌଶଳ ମାଧ୍ୟମରେ ବିଭିନ୍ନ ଜିଲ୍ଲା ଓ ସହରକୁ ଆଗୁଆ ସତର୍କ କରାଇ ଦିଆଯାଉଛି । ଏପରିକି ନିର୍ଦ୍ଦିଷ୍ଟ ଅଞ୍ଚଳ ନେଇ ସତର୍କ ସୂଚନା ଜାରି ହେଉଛି । ଏଥିପାଇଁ ସ୍ୱତନ୍ତ୍ର ମୋବାଇଲ ଆପ୍ ମଧ୍ୟ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି । ଓଡ଼ିଶାର ବାଲେଶ୍ୱରରେ ଆଇଏମଡି ବଜ୍ରପାତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା କରିଛି ।
ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ବଜ୍ରପାତକୁ ରୋକି ହେବନି । ମାତ୍ର ଏଥିରେ ଜୀବନହାନି ହ୍ରାସ କରିବାକୁ ହେଲେ ସତର୍କତା ଓ ସଚେତନତାକୁ ବ୍ୟାପକ କରିବାକୁ ହେବ । ଏ ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି । ବାର୍ଷିକ ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ପୂର୍ବାପେକ୍ଷା ବହୁ ମାତ୍ରାରେ ହ୍ରାସ ପାଇଛି । ପ୍ରତିଟି ଜୀବନ ରକ୍ଷା କରିବା ଦିଗରେ ଆମେ ଗୁରୁତ୍ୱ ଦେଉଛି । ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରାଯାଉଛି । ବଜ୍ରପାତବେଳେ ବାହାରେ ଥିବା ଲୋକେ ଯେପରି ରକ୍ଷା ପାଇପାରିବେ, ସେଥିପାଇଁ ଲୋକଙ୍କୁ କେତେକ କୌଶଳ ଶିଖିବାକୁ ହେବ । ବଜ୍ରପାତବେଳେ କେବେ ବି ଗଛ କିମ୍ବା ବିଦ୍ୟୁତ ଖୁଣ୍ଟ ତଳେ ଆଶ୍ରୟ ନେବା ଉଚିତ୍ ନୁହେଁ । ଏହା ବିପଦ ବଢ଼ାଇଥାଏ । ଏଭଳି କିଛି କୌଶଳ ଓ ଜ୍ଞାନ ବଢ଼ାଇବାକୁ ହେବ । ଏ ଦିଗରେ କିଛି ଭିଡିଓ ପ୍ରସ୍ତୁତ କରି ଟିଭି ମାଧ୍ୟମରେ ପ୍ରଦର୍ଶନ କରାଯିବ । ବଜ୍ରପାତବେଳେ କ’ଣ କରିବେ ଓ କ’ଣ ନ କରିବେ, ସେଥିପାଇଁ ଗଣମାଧ୍ୟମ ଜରିଆରେ ସଚେତନ କରାଯିବ । ଗାଁ ସ୍ତରରେ ବିଭିନ୍ନ ପ୍ରଦର୍ଶନୀ ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ଯୋଜନା କରାଯାଇଛି । ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ।
ସେ କହିଛନ୍ତି ଆଗମୀ ଦିନରେ ବିଏସ୍ଏନ୍ଏଲ୍ ହେଉ କି ଏୟାରଟେଲ୍ କିମ୍ବା ଜିଓ… ସବୁ କମ୍ପାନିର ମୋବାଇଲ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବ ବଜ୍ରପାତ ଓ କାଳବୈଶାଖୀ ସମ୍ପର୍କିତ ଆଗୁଆ ସତର୍କ ସୂଚନା । ସ୍ମାର୍ଟ ଫୋନ ହେଉ କି ସାଧାରଣ ମୋବାଇଲ୍, ସବୁ ମୋବାଇଲ୍କୁ ମେସେଜ୍ ମାଧ୍ୟମରେ ସତର୍କ ସୂଚନା ପଠାଇବେ ସରକାର । ଏ ଦିଗରେ ରାଜ୍ୟ ସରକାର ପ୍ରୟାସ ଚଳାଇଛନ୍ତି । କମନ ଆଲର୍ଟିଂ ପ୍ରୋଟୋକଲ୍ (ସିଏପି) ମାଧ୍ୟମରେ ଏଭଳି ବ୍ୟବସ୍ଥା ଲାଗୁ ହେବ ।
ବର୍ତ୍ତମାନ କେବଳ ବିଏସଏନଏଲ ଉପଭୋକ୍ତାଙ୍କ ମୋବାଇଲକୁ ପାଣିପାଗ ସମ୍ପର୍କିତ ସତର୍କ ସୂଚନା ପଠାଯାଉଛି । ଆଗକୁ ସବୁ ମୋବାଇଲ ଉପଭୋକ୍ତାଙ୍କ ପାଖରେ ସୂଚନା ପହଞ୍ଚିବ । ଏଥିପାଇଁ କମନ ଆଲର୍ଟିଂ ପ୍ରୋଟୋକଲ୍ରେ ଓଡ଼ିଶାକୁ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଛି । ଏହା କାର୍ଯ୍ୟକ୍ଷମ ହେଲେ ସବୁ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥାକୁ ପାଣିପାଗ ସମ୍ପର୍କିତ ସତର୍କ ସୂଚନା ମେସେଜ ମାଧ୍ୟମରେ ଯାଇପାରିବ । ଆମେ ବଜ୍ରପାତର ଅଧ ଘଣ୍ଟା ପୂର୍ବରୁ ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ସତର୍କ ସୂଚନା ମେସେଜ ମାଧ୍ୟମରେ ଜଣାଉଛୁ । ଏହା ଯେତେ ଲୋକଙ୍କ ପାଖରେ ପହଞ୍ଚିବ, ସେତେ ଜୀବନ ରକ୍ଷା ହୋଇପାରିବ ।