ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଇରାକର ନାସିରିଆରେ ଏକ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ। କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ପ୍ରାୟ 50 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଜଣ ଆହତ ହୋଇଥିବାର ସୂଚନା ମିଳୁଛି । ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କ୍ ବିସ୍ଫୋରଣ ହେବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବାର ସୂଚନା ମିଳୁଛି। ଏହି ମର୍ମନ୍ତୁଦ ଘଟଣା ପରେ ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ-କଦିମି ଜରୁରୀକାଳିନ ବୈଠକ ଡାକି ନାସିରିଆର ସ୍ଵାସ୍ଥ୍ୟ ଏବଂ ନାଗରିକ ସୁରକ୍ଷା ଅଧିକାରୀଙ୍କୁ ନିଲମ୍ବିତ କରି ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନାସିରିଆ ସ୍ଵାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ, ବହୁ ଲୋକ ନିଆଁରେ ଜଳି ଯାଇଥିବା ବେଳେ କିଛି ଲୋକଙ୍କର ଲାଗିଥିବା ନିଆଁର ଧୂଆଁ କାରଣରୁ ମୃତ୍ୟୁ ହୋଇଛି। ପ୍ରବଳ ମାତ୍ରାରେ ଧୂଆଁ ହୋଇଯିବା କାରଣରୁ ଉଦ୍ଧାର କାର୍ଯ୍ୟରେ ବହୁତ ଅସୁବିଧା ହୋଇଥିଲା। ଅଗ୍ନିକାଣ୍ଡ ଅତ୍ୟନ୍ତ ଭୟଙ୍କର ଥିବାରୁ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିବା ପରେ ଯାଇ ଉଦ୍ଧାର କାର୍ଯ୍ୟ ହୋଇପାରିଥିଲା। ଉଦ୍ଧାରରେ ବିଳମ୍ବ ଯୋଗୁଁ ଅଧିକ ଲୋକଙ୍କ ଜୀବନ ଯାଇଥିବାର ସୂଚନା ମିଳୁଛି।