ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସକୁ ଆଉ ମାତ୍ର ୧୦ ଦିନ ଥିବା ବେଳେ ଏହି ପ୍ରତିଯୋଗିତା ରେ ଭାଗ ନେଇଥିବା ଭାରତୀୟ ପ୍ରତିଦ୍ବନ୍ଦିମାନଙ୍କ ସହ ଆଜି ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସେମାନଙ୍କୁ ଟୋକିଓ ଅଲିମ୍ପିକ୍ସ ପାଇଁ ଶୁଭେଚ୍ଛା ଜଣାଇବେ ।
ସୂଚନା ମୁତାବିକ, ସୋମବାର ଦିନ ନୂଆ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ବିଭାଗର ରାଷ୍ଟ୍ରମନ୍ତ୍ରୀ ନିତିଶ ପ୍ରମାଣିକ, ସାଇ ଏବଂ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ)ର ଅଧିକାରୀମାନେ ଯୋଗ ଦେଇଥିଲେ । ଗତ ସପ୍ତାହରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କ୍ୟାବିନେଟ୍ ପାହ୍ୟାକୁ ଉନ୍ନୀତ ହେବା ପରେ ଅନୁରାଗ ନୂଆ କ୍ରୀଡ଼ାମନ୍ତ୍ରୀ ହୋଇଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ ଡକାଇଥିଲେ ।ବୈଠକରେ କ୍ରୀଡ଼ାବିତମାନଙ୍କର ଅଲିମ୍ପିକ୍ସ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା । ସେମିତି ‘ଚିୟର ଫର ଇଣ୍ଡିଆ’ ଅଭିଯାନ ଏବଂ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ମନ୍ତ୍ରୀ ଠାକୁର ଆଲୋଚନା କରିଥିଲେ ।
ପ୍ରଥମ ପର୍ଯ୍ୟାୟରେ ଭାରତୀୟ ଦଳ ଆସନ୍ତା ୧୭ ତାରିଖରେ ଟୋକିଓରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।ଆସନ୍ତା ୨୩ ତାରିଖରୁ ଆରମ୍ଭ ହେଉଥିବା ଅଲିମ୍ପିକ୍ସରେ ଏଥର ୧୨୦ ଜଣ ଭାରତୀୟ କ୍ରୀଡ଼ାବିତ ଯୋଗ୍ୟତା ହାସଲ କରିଛନ୍ତି ।