ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କେନ୍ଦ୍ରୀୟ ଶ୍ରମିକ ସଂଘ ସରକାରଙ୍କ ଜନବିରୋଧି ନିତୀ ତଥା ନୁତନ ଶ୍ରମିକ ଆଇନ୍କୁ ବିରୋଧ କରି ଆଜି ଦେଶବ୍ୟାପୀ ବନ୍ଦ ଡାକରା ଆରମ୍ଭ ହୋଇଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ଡ଼ାକରା ଦିଆଯାଇଛି । ବନ୍ଦ ଡ଼ାକରାରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି । ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିଛି ।
ଗାଡ଼ି ମଟର, ଟ୍ରେନ, ବସ୍ ଚଳାଚଳ ବନ୍ଦ ରଖିବାକୁ ସିଟୁ ପକ୍ଷରୁ ଆହ୍ୱାନ ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳ ଠାରୁ ଆରମ୍ଭ ହୋଇଛି ପିକେଟିଂ, ରାସ୍ତାରୋକ । ଭୁବନେଶ୍ୱର ବିଭିନ୍ନ ଛକରେ ସଂଗଠନ ପକ୍ଷରୁ ରାସ୍ତାରୋକ କରାଯାଇଛି । ନୟାପଲ୍ଲୀ, ବାଣୀବିହାର ମଧ୍ୟ ରାସ୍ତାରେ ବିକ୍ଷୋଭ ଏବଂ ପିକେଟିଂ କରାଯାଇଛି ।
ଅନ୍ୟପଟେ ଭାରତ ବନ୍ଦ ନେଇ କୌଣସି ସୂଚନା ସଂଘକୁ ଦିଆଯାଇନଥିବାରୁ ଘରୋଇ ବସ୍ ଚାଲିବ ବୋଲି ମାଲିକ ସଂଘ ପକ୍ଷରୁ କୁହାଯାଇଛି। ସହରର ପ୍ରମୁଖ ଛକ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରେଳଷ୍ଟେସନ, ବସ୍ଷ୍ଟାଣ୍ଡ ପ୍ରଭୃତି ୧୭ଟି ସ୍ଥାନରେ ପିକେଟିଂ କରିବାକୁ ସଂଗଠନ ସମୂହ ଯୋଜନା କରିଛନ୍ତି। ଏଥିପାଇଁ କମିସନରେଟ୍ ପୁଲିସ ପ୍ରସ୍ତୁତ ରହିଛି। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ ଆନ୍ଦୋଳନକାରୀଙ୍କୁ ଗିରଫ କରାଯିବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି । ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି ।
ଏହି ବନ୍ଦ ଡାକରା ଇଣ୍ଡିଆନ ନ୍ୟାସନାଲ ଟ୍ରେଡ ୟୁନିଅନ କଗ୍ରେଂସ(ଆଇଏନ୍ଟିୟୁସି), ଅଲ୍ ଇଣ୍ଡିଆ ଟ୍ରେଡ ୟୁନିଅନ୍ କଗ୍ରେଂସ(ଏଆଇଟିୟୁସି), ହିନ୍ଦ ମଜଦୁର ସଭା (ଏଚ୍ଏମ୍ଏସ୍), ସେଣ୍ଟର ଅଫ୍ ଇଣ୍ଡିଆନ୍ ଟ୍ରେଡ ୟୁନିଅନ ସେଣ୍ଟର(ସିଆଇଟିୟୁ), ଟ୍ରେଡ ୟୁନିଅନ କୋର୍ଡିନେସନ ସେଣ୍ଟର(ଟିୟୁସିସି), ସେଲ୍ଫ ଏମ୍ପ୍ଲୋଏଡ୍ ଓମେନ୍ସ ଆସୋସିଏସନ୍(ଏସ୍ଇଡବ୍ଲୁଏ), ଲେବର ପ୍ରୋଗେସିଭ ଫେଡେରେସନ୍ (ଏଲ୍ପିଏଫ୍) ୟୁନାଇଟେଡ ଟ୍ରେଡ୍ ୟୁନିଅନ୍ କଗ୍ରେଂସ (ୟୁଟିୟୁସି), ଅଲ୍ ଇଣ୍ଡିଆ ସେଣ୍ଟ୍ରାଲ କାଉସିଲ ଅଫ୍ ଟ୍ରେଡ ୟୁନିଅନ୍ସ (ଏଆଇସିସିଟିୟୁ) ଓ ୟୁନାଇଟେଡ୍ ଟ୍ରେଡ ୟୁନିଅନ୍ କଗ୍ରେଂସ (ୟୁଟିୟୁସି ) ସଂଘଙ୍କ ମିଳିତ ଉଦ୍ୟମରେ କରାଯାଇଛି ।