ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଉ ମାତ୍ର 4 ଦିନ ପରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । କରୋନା ସଂକ୍ରମଣ ଯୋଗୁଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ 144 ଧାରାରେ ବଡ ଦାଣ୍ଡରେ ଗଡିବ ତିନି ରଥ । ତେବେ ଏହାର ପ୍ରସ୍ତୁତିକୁ ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ।ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଆଇନ ବିଭାଗର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ସାମିଲ ହେବେ ଏଥି ସହ ପୁରୀ ଜିଲ୍ଲାପାଳ, ଏସପି ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ ।
କୋଭିଡ କଟକଣା ମଧ୍ୟରେ କିଭଳି ସଠିକ୍ ଭାବରେ ରଥଯାତ୍ରା ଆୟୋଜନ ହେବ ସେନେଇ ଏହି ବୈଠକରେ ଆଲୋଚନା ହେବ । ଗତବର୍ଷ ମଧ୍ୟ କୋଭିଡ୍ କଟକଣା ମଧ୍ୟରେ ସଠିକ୍ ଭାବରେ ରଥଯାତ୍ରା ପାଳିତ ହୋଇଥିଲା । ଚଳିତବର୍ଷ ମଧ୍ୟ ସେହିପରି କଟକଣା ଭିତରେ ରଥଯାତ୍ରା କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।