ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଖୁବ୍ ଶୀଘ୍ର ଗର୍ଭବତୀମାନଙ୍କୁ ଦିଆଯିବ କୋଭିଡ୍ ଟିକା । ତୃତୀୟ ଲହର ଆସିବା ପୂର୍ବରୁ ଗର୍ଭବତୀଙ୍କୁ କରୋନା ଟିକା ଦିଆଯିବ । ତେବେ ସେଥିପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା । ଗର୍ଭବତୀମାନେ ଯେପରି ଲାଇନରେ ଛିଡା ନହୁଅନ୍ତି ସେଥିପାଇଁ ଦୃଷ୍ଟି ଦିଆଯିବ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ରଖାଯିବ ।ଏନେଇ ପରିବାପ କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ଟିକା ନେବା ଦ୍ବାରା ସ୍ବାସ୍ଥ୍ୟ ଉପରେ କି ପ୍ରଭାବ ପଡିବ ସେନେଇ ଗର୍ଭବତୀ ମହିଳାଙ୍କୁ ଆଶାକର୍ମୀ ପ୍ରଥମେ ସଚେତନ କରାଇବେ । ତାପରେ ସେମାନେ ସ୍ୱେଚ୍ଛାକୃତ ଭାବେ ଟିକା ନେବାକୁ କହିଲେ ଟିକା ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସେହିପରି ରାଜ୍ୟରେ ଟିକାକରଣ ସଂପର୍କରେ ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ଯେତିକି କୋଭିସିଲଡ୍ ଟିକା ଅଛି ଆଉ ୨ ଦିନ ଟିକାକରଣ ହୋଇପାରିବ । ତା ପରେ ଅଧିକାଂଶ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ବର୍ତ୍ତମାନ ୧ ଲକ୍ଷ ୯୦ ହଜାର ୩୮୦ ଡୋଜ କୋଭିସିଲଡ୍ ଓ ୨ ଲକ୍ଷ ୯୮ ହଜାର ୮୧୦ କୋଭାକ୍ସିନ ମହଜୁଦ୍ ଥିବା ସେ କହିଛନ୍ତି । ୧୫ ତାରିଖରେ ଆଉ ୩ ଲକ୍ଷ ୧୬ ହଜାର ୪୭୦ ଡୋଜ୍ କୋଭିସିଲ୍ଡ ଆସିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି ।