ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ନିକଟରେ ବିଧାନସଭା ଆଗରେ ଝିଅ ‘ପରୀ’ ପାଇଁ ନ୍ୟାୟ ଦାବିରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା , ନୟାଗଡ଼ର ପରୀ ବାପାଙ୍କ ଅସଲ ଚିତ୍ର ଏବେ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ଅନ୍ୟ କଥାରେ ପଡି ମନ୍ତ୍ରୀ ଅରୁଣ ସାହୁଙ୍କୁ ବଦନାମ କରିବା ପାଇଁ ସେ ନୟାଗଡ଼ରୁ ରାଜଧାନୀ ଆସିଥିଲେ ସେ କଥା ର ସ୍ପଷ୍ଟ ପ୍ରମାଣ ଦେଉଛି ଏହି ଚିତ୍ର ।
‘ପରୀ’ ବାପା ଅଶୋକ ସାହୁଙ୍କ ସମେତ ଗଣମାଧ୍ୟମ କୁ ବାଇଟ ଦେଇଥିବା ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ, ଗୋଟିଏ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ଶିବରାମ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ ଓ ଆଉ କେତେଜଣ ବ୍ୟକ୍ତି ବିଧାନସଭା ସମ୍ମୁଖରେ ଘଟଣା ଘଟିବାର ଅବ୍ୟବାହିତ ପୂର୍ବରୁ ଗୋଟିଏ ଚା ଖଟିରେ ସାମିଲ ହୋଇଛନ୍ତି। ଅତ୍ୟନ୍ତ ପ୍ରସନ୍ନ ମୁଦ୍ରାରେ ସମସ୍ତେ ଚା ପାନ କରୁଥିବା ଫଟୋରୁ ଜଳ ଜଳ ହୋଇ ଦିଶୁଛି। ଯେହେତୁ ଅଶୋକ ସାହୁ ନିର୍ଦ୍ଦିଷ୍ଟ ପୋଷାକରେ ପୁଲିସ ହାତରେ ଧରପଡିଯାଇଥିଲେ ତେଣୁ ଫଟୋ ଟି ଘଟଣା ଘଟିବାର କିଛି ସମୟ ପୂର୍ବରୁ ବୋଲି କୁହାଯାଉଛି।
ପରୀ ମୃତ୍ୟୁ ଘଟଣାରେ ରାଜ୍ୟ ପୁଲିସ ଏବେ ବି ଅନୁସନ୍ଧାନ ଜାରି ରଖିଥିବାବେଳେ ଫୋରେଂସିକ ଯାଞ୍ଚ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖୋଲତାଡ଼ ବି ହୋଇଛି।କିନ୍ତୁ କେବେ ବି ଏନେଇ ପରୀ ର ବାପା ମା ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିନାହାଁନ୍ତି, ଅନ୍ୟପଟେ ଯେଉଁଦିନ ବିଧାନସଭା ରେ ଆଇନ ଶୃଙ୍ଖଳା ଆଲୋଚନା ଚାଲିଛି ସେଦିନ ଆସି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ଠିକ ସେତିକିବେଳେ ପୁଲିସ ଜାଣିବା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ପ୍ରସ୍ତୁତ ହୋଇ ରହିବାକୁ ଏଇ ସନ୍ଦେହ ପ୍ରକାଶ ପାଇଥିଲା। ଏବେ ଏହି ଫଟୋ ଟି ଆସିଲାପରେ ଧୀରେ ଧୀରେ ଆତ୍ମହତ୍ୟା ଘଟଣା ଉପରୁ ପରଦା ଉଠୁଛି।
ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଦିନ ଜିଲ୍ଲାକୁ ନେଇ ଏତେ ବଡ଼ ଘଟଣା ଘଟିବାପରେ ମନ୍ତ୍ରୀ ଅରୁଣ ସାହୁ ସମ୍ପୃକ୍ତ ସରପଞ୍ଚକୁ ଏ ବାବଦରେ ଟେଲିଫୋନ ରେ ପଚାରିବାବେଳେ ସେ ବାରମ୍ବାର ପରୀର ବାପା ମା ଙ୍କୁ ନେଇ ମନ୍ତ୍ରୀଙ୍କ ପାଖକୁ ଯିବେ ବୋଲି କହୁଛନ୍ତି। ସେମାନଙ୍କୁ ଆଣିବା କ’ଣ ଆବଶ୍ୟକ ବୋଲି ମନ୍ତ୍ରୀ ଯେତେଥର ପଚାରୁଛନ୍ତି ସରପଞ୍ଚ କିନ୍ତୁ କଥାବାର୍ତ୍ତା ର ରେକଡ଼ିଂ କରିବା ସହିତ ପ୍ରଶ୍ନର ସ୍ପଷ୍ଟ ଉତ୍ତର ନ ଦେଇ ବାରମ୍ବାର ବାପା ମା’ଙ୍କୁ ନେଇ ଆପଣଙ୍କ ପାଖକୁ ଯିବି ବୋଲି କହୁଛନ୍ତି। ସରପଞ୍ଚଙ୍କର ଏଭଳି ଆଭିମୁଖ୍ୟକୁ ନେଇ ଏବେ ସନ୍ଦେହ ବଢ଼ିବାରେ ଲାଗିଛି।
କଂଗ୍ରେସ ନେତା ଏବଂ ସ୍ଥାନୀୟ ସରପଞ୍ଚଙ୍କ ହାତରେ ପରୀର ବାପା ଯେ ମୋହରା ସାଜିଛନ୍ତି ଏବଂ ସେମାନେ ମନ୍ତ୍ରୀ ଅରୁଣ ସାହୁଙ୍କୁ ବଦନାମ କରିବା ପାଇଁ ଏଭଳି କରିଛନ୍ତି ତାହା ଜଳ ଜଳ ହୋଇ ଦିଶୁଛି। କାରଣ ଘଟଣା ଘଟିବା ପରେ ପରେ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ଼ର ପ୍ରତିବାଦ କରାଯିବା, ସରପଞ୍ଚ ଚଟାପଟ ଟିଭିରେ ବାଇଟ ଦେବା ଘଟଣାକୁ ରହସ୍ୟମୟ କରି ରଖିଥିଲା। ତାହା ଉପରୁ ଏବେ ପରଦା ହଟିବାରେ ଲାଗିଛି। ଖାଲି ଏ ଆତ୍ମହତ୍ୟା ଘଟଣା ନୁହେଁ ଗତ ବିଧାନସଭା ଅଧିବେଶନ ସମୟରେ ରାସ୍ତା ଉପରେ ମା’ ବେକରେ ଛୁରୀ ଲଗାଇ ହୋଇଥିବା ଡ୍ରାମା ପଛରେ ବି ନୟାଗଡ଼ର ଏହି ଗୋଷ୍ଠୀ ଥିବା ଅନୁମାନ କରାଯାଇଛି। କାରଣ ସେତେବେଳେ ମୁଣ୍ଡାଦୋଷ ପାଇଁ ଚିକିତ୍ସିତ ହେଉଥିବା ଯୁବକ ଜଣଙ୍କ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଇ ନାଟକ କରିଥିଲା।