ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସନ୍ତା ୩୦ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ବା ଡଙ୍ଗାଭସା ଅନୁଷ୍ଠିତ ହେବାକୁ ଯାଉଛି ।କରୋନା ମହାମାରୀ ସମୟରେ ଜନସମାଗମକୁ ଦୃଷ୍ଟରେ ରଖାଯାଇ ଡଙ୍ଗା ଭସା ଓ ନଦୀ ପୋଖରୀରେ ସାମୁହିକ ସ୍ନାନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଏହା ସହିତ ବଡ଼ଓଷାରେ ବିଭିନ୍ନ ସ୍ଥାନରେ ଏକାଠି ହେବାକୁ ମଧ୍ୟ ବାରଣ କରାଯାଇଛି । ଅନ୍ୟପକ୍ଷରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ରାଜ୍ୟର କେତେକ ସ୍ଥାନରେ ଅନୁଷ୍ଠିତ ହେଉଥିବା ବାଲିଯାତ୍ରା ଉପରେ ମଧ୍ୟ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି ।
ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ କାର୍ତ୍ତିକ ପୂର୍ଣ୍ଣିମାରେ ଲୋକମାନେ ଏକାଠି ହୋଇ ଡଙ୍ଗା ଭସାଉଥିବାରୁ ଓ ସାମୁହିକ ସ୍ନାନ କରୁଥିବାରୁ କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି ।
ଯଦି କେହି ଏହି ଆଇନକୁ ଅବମାନନା କରୁଥିବାର ନଜର ଆସନ୍ତି ତେବେ ତାଙ୍କୁ ବିପର୍ଯୟ ପରିଚାଳନା ଆଇନ୍,୨୦୦୫ ଅନୁସାରେ ଦଣ୍ତିତ କରାଯିବ ବୋଲି ଉଲ୍ଲେଖ କରିଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ।