ସନଷ୍ଟାର ଟିଭି ବ୍ୟୁରୋ
ବ୍ରହ୍ମପୁର: ବ୍ରହ୍ମପୁରରେ ଟିକା ଅଭାବକୁ ଦୂର କରିବା ପାଇଁ ସେଠାରେ ପହଞ୍ଚିଛି କୋଭାକ୍ସିନ ଟିକା । ଭୁବନେଶ୍ବର ପରେ ଏବେ ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍ସିନ୍ ଟିକା । ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ କୋଭାକ୍ସିନ୍ ଟିକା ଦେବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଓ ମହାନଗର ନିଗମକୁ ଚିଠି ଲେଖିଥିଲେ ସ୍ବାସ୍ଥ୍ୟ ବିଭାଗ ଏସିଏସ । ଏହାପରେ ବ୍ରହ୍ମପୁର ସିଟି ହସ୍ପିଟାଲରେ ୧ ଲକ୍ଷ ୪୦ ହଜାର କୋଭାକ୍ସିନ ଟିକା ପହଞ୍ଚିଛି ।
ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ସମସ୍ତ ଟିକାକରଣ କେନ୍ଦ୍ରକୁ ଏହା ବିତରଣ କରାଯିବ । ଯେଉଁମାନେ ପ୍ରଥମ ଡୋଜ୍ କୋଭିସିଲ୍ଡ ନେଇଛନ୍ତି, ସେମାନେ ଦ୍ବିତୀୟ ଡୋଜ୍ ମଧ୍ୟ କୋଭିସିଲ୍ଡ ନେବେ । ଯେଉଁମାନେ ପ୍ରଥମ ଡୋଜ୍ ନେବେ, ସେମାନେ କୋଭାକ୍ସିନ୍ ଟିକା ନେବେ ।
ତେବେ ଏବେ ମଧ୍ୟ ରାଜ୍ୟରେ ଟିକାର ଅଭାବ ରହିଛି । ଟିକା ଅଭାବରୁ ଆଜି ରାଜ୍ୟରେ କେନ୍ଦ୍ରାପଡ଼ା, ପୁରୀ ଓ ରାୟଗଡ଼ାରେ, ମାତ୍ର ୩ଟି ଜିଲ୍ଲାରେ ହେବ ଟିକାକରଣ ହେବ । ପୁରୀର ୬୭ ଟିକା କେନ୍ଦ୍ରରେ ଟିକାକରଣ କରାଯିବ। ସେହିପରି କେନ୍ଦ୍ରାପଡ଼ାରେ ୮୦ ଓ ରାୟଗଡ଼ାରେ ୧୬ଟି କେନ୍ଦ୍ରରେ ଦିଆଯିବ ଟିକା ।