ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଓଡ଼ିଶାରେ କେବଳ ଗୋଟିଏ ଏମ୍ସ ଥିବା ବେଳେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ତେବେ ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ଏହା ସହ ସେ ସୁନ୍ଦରଗଡ଼ ଜିଲ୍ଲାରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ନେଇ ଭିତ୍ତିଭୂମି ଥିବା ଜଣାଇଛନ୍ତି । ଅନ୍ୟ ରାଜ୍ୟ ମାନଙ୍କରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ହୋଇଥିବା ଦର୍ଶାଇ ଓଡ଼ିଶାର ସୁନ୍ଦରଗଡ଼ରେ ମଧ୍ୟ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ସେ ଦାବି କରିଛନ୍ତି ।
image courtesy-sambad
ଚିଠିରେ ମୁଖ୍ୟ ଶାସନ ସଚିବ ଲେଖିଛନ୍ତି ଯେ, ବିହାରରେ ଦ୍ବିତୀୟ ଏମ୍ସ ହେବା ସହ ଅନ୍ୟ ରାଜ୍ୟରେ ଦ୍ବିତୀୟ ଏମ୍ସ ତିଆରି ପ୍ରସ୍ତାବ ବିଚାରଧୀନ ରହିଛି। ତେଣୁ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲାରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା କଥା ବିଚାର ହେଉ। ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ହେଲେ ସ୍ଥାନୀୟ ଆଦିବାସୀ ଓ ପଶ୍ଚିମ ଓଡ଼ିଶାବାସୀ ଉପକୃତ ହେବେ। ସୁନ୍ଦରଗଡ଼ରେ ଏମ୍ସ ପାଇଁ ଭିତ୍ତିଭୂମି ରହିଛି। ରାଜ୍ୟ ସରକାର ଓ ଏନଟିପିସି ସହଭାଗିତାରେ ୫୦୦ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏଠାରେ ୧୦୦ ଏମବିବିଏସ ଛାତ୍ର-ଛାତ୍ରୀଙ୍କ ପଢ଼ିବା ନେଇ ଭିତ୍ତିଭୂମି ରହିଥିବା ସହ ରେଳ ଏବଂ ବିମାନ ଯୋଗାଯୋଗ ସୁବିଧା ରହିଛି ବୋଲି ସେ ଲେଖିଛନ୍ତି। ଏହି ସବୁ ସୁବିଧା ଥିବା କଥା କହି ସୁନ୍ଦରଗଡ଼ରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ନେଇ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।