ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ସ୍ୱପ୍ନ ଦେଖିବା ସହଜ ମାତ୍ର ଏହାକୁ କାର୍ଯ୍ୟକାରୀ କରିବା ଅତ୍ୟନ୍ତ କଷ୍ଟକର ବୋଲି ଓଡ଼ିଶା ସ୍କିଲ୍ ଡେଭେଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତ୍ ବାଗଚୀ କହିଛନ୍ତି। ଶୁକ୍ରବାର ଭର୍ଚୁଆଲରେ ଅନୁଷ୍ଠିତ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ୧୫ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ବାଗଚୀ କହିଲେ, କେବଳ ସ୍ୱପ୍ନ ଦେଖିଦେଲେ ହେବ ନାହିଁ, ଏହାକୁ କାର୍ଯ୍ୟକାରୀ କରାଇବା ଗୁରୁତ୍ୱପୂର୍ଣ୍ଣ। ସ୍ୱପ୍ନ ଦେଖିବା ସହଜ କିନ୍ତୁ ଏହାକୁ ଜୀବନର ଚଲାପଥରେ କାର୍ଯ୍ୟକାରୀ କରାଇବା କଷ୍ଟକର। ପ୍ରତିଷ୍ଠା ଦିବସର ଯଥାର୍ଥତା ଉପରେ ଶ୍ରୀ ବାଗଚୀ କହିଲେ, କୌଣସି ଅନୁଷ୍ଠାନ ବା ବ୍ୟକ୍ତି ବିଶେଷଙ୍କ ମୂଳଦୁଆ ଉପରେ ସେମାନଙ୍କ ବିକାଶ ନିର୍ଭର କରେ। ମୂଳଦୁଆରୁ ସଫଳତାର ଶୀର୍ଷ ଛୁଇଁବା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯେଉଁ କଠିନ ପଥ ଦେଇ ଅତିକ୍ରମ କରିଆସିଛନ୍ତି ଶ୍ରୀ ବାଗଚୀ ତାର ଆବତାରଣା କରିଥିଲେ। ଶ୍ରୀ ସାମନ୍ତ ବ୍ୟକ୍ତିଗତ ସ୍ୱାର୍ଥ କଥା ନ ଭାବି ସାମୁହିକ ସ୍ୱାର୍ଥ ବିଷୟରେ ଚିନ୍ତା କରିଆସିଛନ୍ତି ବୋଲି ତାଙ୍କୁ ସଫଳତା ମିଳିପାରିଛି ବୋଲି ଛାତ୍ରଛାତ୍ରୀଙ୍କୁ ଶ୍ରୀ ବାଗଚୀ କହିଥିଲେ। ନିଜ ବ୍ୟକ୍ତବ୍ୟରେ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଛାତ୍ରଛାତ୍ରୀଙ୍କୁ କହିଲେ, କରୋନା ସମୟରେ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯଥେଷ୍ଟ ଗୁରୁତ୍ୱ ଦେଇ ଆସିଛି।
କରୋନା ଯୋଗୁଁ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ଶିକ୍ଷା କ୍ଷେତ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏବେ ଛାତ୍ରଛାତ୍ରୀମାନେ ନିଜନିଜ ଘରେ ରହୁଥିବାରୁ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ଶିକ୍ଷକମାନେ ତାଲାବନ୍ଦ ଆରମ୍ଭରୁ ନିୟମିତ ଡିଜିଟାଲ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗରେ ରହି ଆସିଛନ୍ତି। ଏଭଳି ସମୟରେ ଛାତ୍ରଛାତ୍ରୀମାନେ ନିଜର ଧୈର୍ଯ୍ୟ ରଖିବା ସହ ପିତାମାତା ଓ ଶିକ୍ଷକଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କଲେ ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ଶ୍ରୀ ସାମନ୍ତ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ୍ ଓ କିସର ସଭାପତି ଶାଶ୍ୱତୀ ବଳ ଉପସ୍ଥିତ ଥିବା ବେଳେ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ବ୍ରାଣ୍ଡ ଆମ୍ବାସାଡ଼ାର ରସ୍କିନ୍ ବଣ୍ଡ, ଶ୍ରୀମତୀ ମେରୀ ବରୁଆ ଏବଂ ଇଣ୍ଟରନ୍ୟାସନାଲ ପାଠ୍ୟକ୍ରମ ମୁଖ୍ୟ ତଥା ଆଇବିଡିପି ସଂଯୋଜକ ଡ. ଅରୁଣାନନ୍ଦ ମୁଖାର୍ଜୀ ଭର୍ଚୁଆଲରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ବାର୍ତ୍ତା ରଖିଥିଲେ। କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରପର୍ସନ ଡ. ମୋନାଲିସା ବଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ବିବରଣୀ ପାଠ କରିଥିଲେ। ଶେଷରେ ନନ୍ଦିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଆଇ.ବି. ପାଠ୍ୟକ୍ରମର ସ୍ୱତନ୍ତ୍ର ନୂତନ କୋଠାର ଭୂମି ପୂଜନ କରାଯାଇଥିଲା।