ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ରାଜ୍ୟରେ କରୋନା ସ୍ଥିତି କିଛି ଖାସ ସୂଧାର ଆସିନଥିବା ବେଳେ ବିଏମ୍ସି ପକ୍ଷରୁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଲକ୍ଷ୍ୟ ଜୁଲାଇ ମାସ ଶେଷ ସୁଦ୍ଧା ଭୁବନେଶ୍ୱରବାସୀଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରିବା। ଏହାକୁ ବ୍ୟାପକ କରାଯାଇ ଆସନ୍ତା ୫ତାରିଖରୁ ବିନା ସ୍ଲଟ୍ ବରାଦରେ ଟିକା ଦିଆଯିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ୧୦ରୁ ଊର୍ଦ୍ଧ୍ବ ସ୍ଥାନରେ ଯାନରେ(ଡ୍ରାଇଭ୍ ଇନ୍) ଟିକାକରଣ ସହିତ ନିୟମିତ ଭାବେ ସମସ୍ତ ସହରାଞ୍ଚଳ, ପ୍ରାଥମିକ ଓ ଗୋଷ୍ଠୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ପ୍ରକ୍ରିୟା ଜୋରଦାର ଚାଲିଛି। ଏଥିପାଇଁ ପୂର୍ବରୁ ନାଗରିକଙ୍କୁ ଟିକା ନେବା ପାଇଁ ସ୍ଲଟ୍ ବରାଦ କରିବାକୁ ପଡୁଛି। କିଛି ନାଗରିକ ବିନା ସ୍ଲଟ୍ରେ ଟିକା କେନ୍ଦ୍ରରେ ପହଞ୍ଚି ପାଟିଗୋଳ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି। ଏହାଦ୍ୱାରା ଟିକାକରଣ ପ୍ରକ୍ରିୟାରେ ମଧ୍ୟ ବାଧାପ୍ରାପ୍ତ ହେଉଛି। ଏହି ସମସ୍ୟା ଦୂର କରିବା ପାଇଁ ବିଏମ୍ସି ବିନା ସ୍ଲଟ୍ରେ ଟିକାକରଣକୁ ଗୁରୁତ୍ୱ ଦେଇଛି। ପୂର୍ବରୁ ୧୦ଟି କେନ୍ଦ୍ରରେ ବିନା ସ୍ଲଟ୍ରେ ନାଗରିକଙ୍କୁ ଟିକା ଦିଆଯାଉଥିବାବେଳେ ଆସନ୍ତା ୫ ତାରିଖରୁ ଆଉ ୧୫ଟି କେନ୍ଦ୍ରକୁ ଏହି ବ୍ୟବସ୍ଥା ବୃଦ୍ଧି କରିଛି। ଲୋକେ ନିଜର ପରିଚୟପତ୍ର ଦେଖାଇ ଟିକା ନେଇପାରିବେ। ତେବେ ସବୁ କେନ୍ଦ୍ରରେ ଟିକାଦାନ ପୂର୍ବରୁ ପରିଚୟପତ୍ର ଯାଞ୍ଚ କରାଯିବ।
ସେହି କେନ୍ଦ୍ର ଗୁଡିକ ହେଲା ୬ ନମ୍ବର ରାଜଧାନୀ ଡାକ୍ତରଖାନା ସହିତ ପ୍ରାଥମିକ ଓ ଗୋଷ୍ଠୀ ପ୍ରାଥମିକ କେନ୍ଦ୍ର ଯଥା- ଘାଟିକିଆ, କପିଳପ୍ରସାଦ, ୟୁନିଟ୍-୩, ନୀଳାଦ୍ରିବିହାର, ଝାରପଡ଼ା, ୟୁନିଟ୍-୯, ସହିଦନଗର, ନହରକଣ୍ଟା, ଆଇଆର୍ସି ଭିଲେଜ, କଳ୍ପନା, ଗାଡ଼କଣ, ୟୁନିଟ୍ -୪, ଡୁମୁଡୁମା ଏବଂ ପଟିଆରେ ଏହି ସୁବିଧା ମିଳିବ। ଉଭୟ ୧୮-୪୪ ବର୍ଷ ଏବଂ ୪୫ରୁ ଊର୍ଦ୍ଧ୍ବ ବୟସର ଲୋକ ପ୍ରଥମ ପାନ ଟିକା ନେଇପାରିବେ। ଏହା ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟ କ୍ରମେ ସକାଳ ୯ଟାରୁ ମଧ୍ୟାହ୍ନ ୧ଟା ଏବଂ ମଧ୍ୟାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲୁ ରହିବ। ପୂର୍ବରୁ ନିର୍ଦ୍ଧାରିତ ୧୦ ଯାନରେ ଟିକାକରଣ କେନ୍ଦ୍ରରେ ମଧ୍ୟ ଏପରି ସୁବିଧା ଉପଲବ୍ଧ ହେବ। ତେବେ ସେଠାରେ କେବଳ ଦ୍ୱିତୀୟ ପାନ ଟିକା ଦିଆଯିବ। ପ୍ରଥମ ପାନର ପ୍ରମାଣପତ୍ର ଦେଖାଇ ନାଗରିକମାନେ ଟିକା ନେଇପାରିବେ। ଏହାଛଡ଼ା ପୂର୍ବରୁ ନିୟମିତ ଟିକାକରଣ ମଧ୍ୟ ଜାରି ରହିବ। ଯେଉଁ କେନ୍ଦ୍ରରେ ନାଗରିକମାନେ ପ୍ରଥମ ପାନ ଟିକା ନେଇଥିଲେ ସମ୍ପୃକ୍ତ କେନ୍ଦ୍ରକୁ ଯାଇ ଦ୍ୱିତୀୟ ପାନ ଟିକା ମଧ୍ୟ ନେଇପାରିବେ।