ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ୧୮ ଲକ୍ଷ ଭୂମୀହୀନ କୃଷକ ପରିବାରଙ୍କୁ ମିଳିବାକୁ ଯାଉଛି କୋଭିଡ୍ ସହାୟତା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଏନେଇ ଘୋଷଣା କରିଥିଲେ । ତେବେ ଆଜି ଏ ସହାୟତା ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପ୍ରାୟ ୧୮ ଲକ୍ଷ ଭୂମୀହୀନ କୃଷକ ପରିବାରଙ୍କୁ ୩୮୬ କୋଟି ଟଙ୍କାର ସ୍ବତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନାରେ ସବୁ ଭୂମିହୀନ ଚାଷୀ ପରିବାରକୁ ମଧ୍ୟ ୩ଟି କିସ୍ତିରେ ୨୦୭ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯିବ ।
ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ୍ ପ୍ୟାଜେକ୍ ଅନୁସାରେ ସହରାଞ୍ଚଳରେ ଗରିବମାନଙ୍କୁ କାମଧନ୍ଦା ଯୋଗାଇବାକୁ ଆରମ୍ଭ ହେବ ‘ମୁକ୍ତା’ ଯୋଜନା । ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଦେଢ଼ ହଜାର ଏବଂ ଆଦିମ ଆଦିବାସୀ ପରିବାରକୁ ୫ ହଜାର ଟଙ୍କା କୋଭିଡ୍ ସହାୟତା ମିଳିବ । ମନରେଗା ଶ୍ରମିକଙ୍କୁ ଅଧିକ ୫୦ ଟଙ୍କାର ମଜୁରୀ ସହ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତି ହିତାଧିକାରୀଙ୍କୁ ଜୁଲାଇରୁ ନଭେମ୍ବର ଯାଏ ମୁଣ୍ଡପିଛା ୫ କେଜି ମାଗଣା ଚାଉଳ ପ୍ରଦାନ କରିବେ ସରକାର । ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।