ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତରେ ଉପଲବ୍ଧ ହେବାକୁ ଯାଉଛି ଜନ୍ସନ ଆଣ୍ଡ ଜନ୍ସନ ଦ୍ୱାରା ବିକଶିତ କରୋନା ଟିକା । ଆମେରିକା ଭିତ୍ତିକ ଏହି ଟିକାକୁ ଉତ୍ପାଦକଙ୍କ ଠାରୁ କିଣିବ ଭାରତର ଆସୋସିଏସନ ଅଫ୍ ହେଲଥ କେୟାର ପ୍ରୋଭାଇଡର୍ସ । ପ୍ରାଥମିକ ଭାବେ ଏହା କିଛି ହଜାର ସଂଖ୍ୟାରେ ଭାରତକୁ ଆସିବ । ତେବେ ଭାରତରେ ଟିକାର ଗୋଟିଏ ଡୋଜର ମୂଲ୍ୟ ରହିବ ପ୍ରାୟ ୨୫ ଡଲାର । ଏହି ଟିକାକୁ ସଂରକ୍ଷଣ କରିବା ପାଇଁ ଆବଶ୍ୟକ ପଡ଼ିବ ନାହିଁ । କାରଣ ଭାରତ ଜଳବାୟୁରେ ଏହି ଟିକା ବେଶ ସହାୟକ ହେବ ।
ନୂତନ ନିୟମ ଅନୁଯାୟୀ, ଆମେରିକାର ଔଷଧ ନିୟାମକ ଦ୍ୱାରା ଅନୁମୋଦିତ ଟିକା ଭାରତରେ ବ୍ରିଜିଙ୍ଗ ପରୀକ୍ଷା କରିବାର ଆବଶ୍ୟକତା ନାହିଁ । ତେଣୁ ଆସନ୍ତା ମାସ ଅର୍ଥାତ ଜୁଲାଇରେ ସରକାର ଏହି ଟିକାକୁ ଅନୁମତି ଦେବେ ବୋଲି ଜଣାପଡ଼ିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଜନ୍ସନ ଆଣ୍ଡ ଜନ୍ସନ ଟିକା ନିମ୍ନରୁ ମଧ୍ୟମ ଧରଣର କରୋନା ରୋଗୀଙ୍କ ଉପରେ ୬୬.୩ ପ୍ରତିଶତ ଫଳପ୍ରଦ ହେଉଥିବା ବେଳେ ସାଂଘାତିକ ରୋଗୀଙ୍କ ଉପରେ ଏହି ଟିକା ୭୬.୩ ପ୍ରତିଶତ ଫଳପ୍ରଦ ହେଉଥିବା କୁହାଯାଇଛି ।