ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି ଡେଲ୍ଟା ପ୍ଲସ୍ ଭ୍ୟାରିଏଣ୍ଟ । ନ୍ୟାସ୍ନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ (ଏନ୍ସିଜିସି) ନିର୍ଦ୍ଦେଶକ ଡା. ଏକ୍ ସିଂହ ଏହି ସୂଚନା ଦେବାପରେ ସରକାରଙ୍କ ଚିନ୍ତା ବଢିଯାଇଛି । ତେବେ ଚିହ୍ନଟ ହୋଇଥିବା ଡେଲଟା ପ୍ଲସ୍ ଭାରିଏଣ୍ଟ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦେବଗଡ ଯାଇଛି ଏପିଡୋମିଓଲୋଜି ଟିମ୍ । ତାଙ୍କ ସ୍ବାସ୍ଥ୍ୟାବସ୍ଥା କେମିତି ରହିଛି, ସେ କାହା ସାଙ୍ଗରେ ମିଶିଥିଲେ, ସେ ଯାହା ସାଙ୍ଗରେ ମିଶି ଥିଲେ ସେମାନେ ସଂକ୍ରମିତ ହୋଇଛନ୍ତି କି ନାହିଁ, ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା କେମିତି ରହିଛି, ସମସ୍ତେ ଟିକା ନେଇଛନ୍ତି କି ନାହିଁ ସେ ବିଷୟରେ ଯାଞ୍ଚ କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଡେଲଟା ପ୍ଲସ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ମାର୍ଚ୍ଚ ୩୦ ତାରିଖରେ ଟିକା ନେଇଥିଲେ । ପରବର୍ତ୍ତୀ ସମୟରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ । ତାଙ୍କର କିଛି ଲକ୍ଷଣ ରହି ନଥିଲା । ମେ’ ମାସରେ ତାଙ୍କର ସମ୍ପୂର୍ଣ୍ଣ ଜେନମ ସିକ୍ୟୁଏନ୍ସି ପାଇଁ ପଠାଯାଇଥିଲା । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।
ଦେଶରେ ମୋଟ ୧୦ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରୁ ମୋଟ ୪୮ଟି ଡେଲ୍ଟା ପ୍ଲସ୍ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ଓଡ଼ିଶାରେ ଏକ ରହିଛି । ଏହି ୪୮ ଡେଲ୍ଟା ପ୍ଲସ୍ ଭ୍ୟାରିଏଣ୍ଟର ମାମଲା ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରେ ୯ ଓ ମଧ୍ୟପ୍ରଦେଶରୁ ୭ ଜଣ ଡେଲ୍ଟା ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛନ୍ତି। ତା ପଛକୁ ରହିଛି କେରଳରେ ୩ଟି, ପଞ୍ଜାବ ଏବଂ ଗୁଜରାଟ୍ରେ ୨ଟି, ଅନ୍ଧ୍ରପ୍ରଦେଶ, ରାଜସ୍ଥାନ ଏବଂ କର୍ଣ୍ଣାଟକାରେ ଗୋଟିଏ ଲେଖାଏ ଡେଲ୍ଟା ଚିହ୍ନଟ ହୋଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।